ବିବାହ କରିବେ ମହାପ୍ରଭୁ: ଶ୍ରୀମନ୍ଦିରରେ ପାଳିତ ହେଲା ରୁକ୍ମୀଣି ହରଣ ନୀତି
1 min readଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ନୀତି ପାଳିତ ହୋଇଥିବା ବେଳେ ମହାପ୍ରଭୁଙ୍କ ବିବାହ ପାଇଁ ଶ୍ରୀମନ୍ଦିର ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଛି। ଦୁଇ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ପାଗ ଅନୁକୂଳ ଥିବାରୁ ଦୁଇଗୁଣା ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ ନନ୍ଦିଘୋଷ ରଥ ସାନଉଛୁଳା ଚକର ଅଖରେ ଫାଟ ଦେଖାଯିବାରୁ ଏହାକୁ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତାକାଲି ଚମ୍ପକ ଦ୍ୱାଦଶୀ ଅବସରରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ।
ଶ୍ରୀମନ୍ଦିର ସିଂହଦ୍ଵାରକୁ ବିଭିନ୍ନ ପ୍ରକାର ଫୁଲରେ ସାଜସଜ୍ଜା କରାଯାଇଛି। ତେଲିଙ୍ଗି ବାଇଦ ବାଜାରେ ସିଂହଦ୍ଵାରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରରେ ଆଜି ବିଶେଷ ନୀତି ଥିଲେ ମଧ୍ୟ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଦେବୀ ରୁକ୍ମିଣୀ ସାଜିବେ ମା ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ସାଜିବେ ପ୍ରଭୁ ଶ୍ରୀକୃଷ୍ଣ। ତେବେ ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଚିଠି ଲେଖି ଶ୍ରୀକୃଷ୍ଣଙ୍କୁ ଜଣାଇଥିବେ।
ଯୋଜନା ଅନୁସାରେ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀ ରୂପୀ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣ ରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ। ଶିଶୁପାଳ ପ୍ରତିରୋଧ କରିବାରୁ ଘମାଘୋଟ ଲଢେଇ ହେବ। ତେବେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ। ଶ୍ରୀମନ୍ଦିରର ସେବକମାନେ ଏହି ନୀତି ଦେବତାଙ୍କ ପକ୍ଷରୁ ସମ୍ପାଦନ କରିଥାନ୍ତି ବୋଲି ସେବାୟତ ଓ ଗବେଷକ କହିଛନ୍ତି। ସେପଟେ ଆଜି ଏହି ଅନନ୍ୟ ଦୃଶ୍ୟ ଦେଖିବା ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥିବା ବେଳେ କିଛି ଭକ୍ତ ମହାପ୍ରଭୁଙ୍କ ପାଇଁ ତାଟ ନେଇଛନ୍ତି।