ବିବାହକୁ ପୁରିନଥିଲା ୨ ମାସ , ପୂର୍ଣ୍ଣିମାଙ୍କ ଜୀବନରୁ ସରିଗଲା ସବୁ ଖୁସି ..
1 min readକେନ୍ଦୁଝର : କାନ୍ଧୁଛି ଓଡିଶା କାନ୍ଦୁଛି ମା , ବୀର ସହିଦ ପୁଅ ସୁଶାନ୍ତଙ୍କୁ ହରାଇ ଶୋକାକୂଳ ପୁରା କେନ୍ଦୁଝର । ଗତକାଲି ଝାଡ଼ଖଣ୍ଡ ଚାଇବସା କୋଲହାନ୍ ଜଙ୍ଗଲରେ ସିଆରପିଏଫ୍ ଯବାନ ଓ ନକ୍ସଲଙ୍କ ମୁହାଁମୁହିଁରେ ସହିଦ୍ ହୋଇଯାଇଛନ୍ତି ଓଡିଆ ପୁଅ ସୁଶାନ୍ତ ଖୁଣ୍ଟିଆ । ଦେଶପାଇଁ ସିନା ସହିଦ୍ ହୋଇଗଲେ ଓଡିଶାର ଗର୍ବ ସାଜିଲେ । କିନ୍ତୁ ସବୁଦିନ ପାଇଁ ଖାଲିହୋଇଗଲା ମା କୋଳ ଆଉ କିଏ ବର୍ଡରରୁ ଫେରି ମା କୋଳରେ ମୁଣ୍ଡ ରଖି ଶୋଇବ । ଆଉ କିଏ ମା କାନିରେ ମୁହଁ ପୋଛିବ । ପୂର୍ବରୁ ପରିବାରର କଷ୍ଟ କଣ କମ ଥିଲା ଯେ ଭଗବାନ ଜଣେ ମା ଠାରୁ ତା ପୁଅକୁ ଛଡାଇନେଲେ । ତେବେ ସୁଶାନ୍ତଙ୍କ ଯିବା ପରେ ଘର ହୋଇଯାଇଛି ପୁରୁଷ ଶୂନ୍ୟ । ଏଡବଡ ଦୁନିଆରେ ଏକା ହୋଇଗଲେ ବୁଢୀ ମା ଆଉ ୨ ମାସର ନବବିବାହିତା ସ୍ତ୍ରୀ ।
ଗତ ୩ ବର୍ଷ ଭିତରେ ପ୍ରଥମେ ତାଙ୍କ ବାପା, ପରେ ବଡ଼ ଭାଇ ଓ ପରେ ପରେ ମଝିଆ ଭାଇଙ୍କ ମୃତ୍ୟୁ ପରେ ଆଜି ସହିଦ ହୋଇଛନ୍ତି ସିଆରପିଏଫ୍ ଯବାନ ସୁଶାନ୍ତ। ତେବେ ୨୦୨୦ରେ କରୋନାରେ ବାପା ଆତୁଳ ଚରଣ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆଙ୍କ ୨୦୨୨ ଏପ୍ରିଲ ୨୪ରେ ବିୟୋଗ ଘଟିଥିଲା । ଏହା ପରେ ବଡ଼ପୁଅ ସନ୍ତୋଷ ଖୁଣ୍ଟିଆଙ୍କ ୨୦୨୩ ଜାନୁଆରୀ ୨୮ରେ ମୃତ୍ୟୁ ହୋଇଥିଲା । ଆଉ ଗତକାଲି ସାନ ପୁଅ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ।
ଏବେ ପରିବାର କହିଲେ କେବଳ, ରୋଗୀଣା ମାଆ ଓ ପତ୍ନୀ । ଗତ ଜୁନ ମାସ ୨୫ ତରିଖରେ ସୁଶାନ୍ତ ପୂର୍ଣ୍ଣିମାଙ୍କୁ ବୈଦିକ ରୀତିନୀତିରେ ବିବାହ କରି ଘରକୁ ଆଣିଥିଲେ । ବିବାହକୁ ମାସ ୨ ଟା ନପୂରୁଣ ପୂର୍ଣ୍ଣିମାଙ୍କ ଜୀବନରେ ଖେଳି ଯାଇଛି ଘୋର ଅମାବାସ୍ୟ । ଯାହାର ହାତ ଧରି ଜୀବନ ଥିବା ଯାଏ ଚାଲିବାକୁ ସାତଫେରା ନେଇଥିଲେ । ଆଜି ସେ ଏଡେ ବଡ ଦୁନିଆରେ ଏକୁଟିଆ କରି ହାତଛାଡି ଚାଲିଗଲା । ନବବଧୂ ପୂର୍ଣ୍ଣିମାଙ୍କ ପାଦରୁ ଛାଡିନି ଅଳତା ମଥାରେ ଦାଉ ଦାଉ ହୋଇ ଜଳୁଛି ସିନ୍ଦୁର । କିନ୍ତୁ କାହା ପାଇଁ ଏସବୁ ଆଉ କାହା ପାଇଁ ସଜେଇ ହେବ ପୂର୍ଣ୍ଣିମା ତା ଜୀବନର ଜହ୍ନ ତ ଆଜି ସବୁଦିନ ପାଇଁ ହଜିଗଲା । ଆଖି ଆଗରେ ସେ ଦେଖିଥିବା ସୁଖର ସଂସାର ଚୂରମାର ହୋଇଗଲା । ଚେତା ରହୁନି ପୂର୍ଣ୍ଣିମାର । ସ୍ୱାମୀର ମୃତ୍ୟୁକୁ ବିଶ୍ୱାସ କରିପାରୁନି ସେ । ଅନ୍ୟପଟେ ବୁଢିମାଟାବି କାନ୍ଦି କାନ୍ଦି ଦରମାରା ଅବସ୍ତାହେଲାଣି । ଗୋଟିଏ ବୋଲି କୂଳଦୀପ ବି ଆଜି ତାର ଲିଭିଗଲା ।