Pratidin TV

Odisha's Digital News Platform

Happy Birth Day Bhubaneswar ; ସମ୍ୟକ ଇତିହାସରେ ମୋ ସହର ଭୁବନେଶ୍ଵରର

1 min read

କିଏ ମାୟାସହର କୁହେତ ଆଉ କିଏ ପରରାଇଜ କୁହେ ପୁଣି କିଏ ନିଜର ସର୍ବଶ କହି ଆପଣାଏ ଏଇ ରାଜଧାନୀ ଭୁବନେଶ୍ୱରକୁ । ଅନେକ ଲୋକଙ୍କ ଅନେକ ସୃତି ସାଉଁଟିଛି ସେ । ଆଖିରେ ବଡ ବଡ ସ୍ୱପ୍ନ ନେଇ ଏଠାକୁ ଆସନ୍ତି ଲକ୍ଷ ଲକ୍ଷ ପିଲା । କାହାର ସ୍ୱପ୍ନ ପୁରଣ ହେଉଥିବା ବେଳେ କାହାର ସ୍ୱପ୍ନ ଭଙ୍ଗି ଚୂରମାର ହେବାର ଦେଖିଛି ଏଇ ରାଜଧାନୀ । ରାତିପାହି ସକାଳ କେମିତି ହେଇଯାଏ ଜଣାପଡେନି । ସକାଳୁ ମଣିଂୱାକ୍ , ରାସ୍ତା ସାଇଡ୍ ଚା/କଫି , ତାସହ ସାଙ୍ଗମାନଙ୍କ ଖଟି ଆଉ ଜମିଥାଏ ଖବରକାଗଜ । ଭିନ୍ନ ଲୋକମାନଙ୍କର ଭିନ୍ନ ଭିନ୍ନ ଭିନ୍ନ ଚଳନି ଏଠି । କିନ୍ତୁ ସମସ୍ତଙ୍କୁ ଆପଣେଇଛି ଏଇ ଭୁବନେଶ୍ୱର ।

ଏଠି ସୁରୁଜ ଉଇଁବା ସହ, ପେଟ ପାଇଁ ନାଟ ବି ଆରମ୍ଭ ହେଇଯାଏ । ମାଲିକ ଅଫିସ୍ ଧାଏଁ, ଶ୍ରମିକ ଧାଏଁ ଲେବର ଷ୍ଟାଣ୍ଡ । ଜୟଦେବ ବିହାର, ହେଉ କି ଆଚାର୍ୟ୍ୟବିହାର । ପଟିଆ ହେଉ କି ଖଣ୍ଡଗିରି । ଟ୍ରାଫିକର ନାଲି ଲାଇଟ୍ ଭୋନ୍ସରିଆଙ୍କୁ ସିନା ଅଟକେଇ ରଖେ, ହେଲେ ଦିନସାରା କିନ୍ତୁ ଘୋଡାର ରେସ୍ ଭଳି ଦୌଡି ଚାଲିଥାଏ ଭୋନ୍ସର । ବୈଶାଖର ଟାଣ ଖରା ହେଉ, କି ଶ୍ରାବଣର ଅବିଶ୍ରାନ୍ତ ବର୍ଷା । କେହି ବି ଭୁବନେଶ୍ୱର ବାଟ ରୋକିପାରେନା. କେହି ବି ତାକୁ ଅଟକେଇ ପାରେନା ।

Advertisement

ଭୁବନେଶ୍ୱରର ରହିଛି ହଜାର ହଜାର ବର୍ଷର ଇତିହାସ । ଶିଶୁପାଳଗଡ଼ ଥିଲା ଏହାର ରାଜଧାନୀ । ଏହାରି ଉପକଣ୍ଠ ଦୟାନଦୀ କୂଳରେ ହୋଇଥିଲା ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ । ଆଉ ଏହି ମାଟିରେ ସମ୍ରାଟ ଅଶୋକ, ଚଣ୍ଡାଶୋକରୁ ପରିଣତ ହୋଇଥିଲେ ଧର୍ମାଶୋକରେ ।ଏବେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହର ହେଉଛି ଭୁବନେଶ୍ୱର । ସହର ଭିତରେ ମାଳ ମାଳ ମନ୍ଦିର । ଉତ୍କଳୀୟ ସଂସ୍କୃତିକୁ ଯେପରି ଏହି ସହର ସାଇତି ରଖିଛି, ସେହିପରି ଆଧୁନିକ ଜୀବନ ଶୈଳୀକୁ ଆପଣାଇ ନେଇଛି । ଅତୀତ ଓ ବର୍ତ୍ତମାନର ସୁନ୍ଦର ମିଶ୍ରଣ ହେଉଛି ଭୁବନେଶ୍ୱର ।

ଦେଶ ସ୍ୱାଧୀନତା ପାଇବା ପରେ କଟକ ଥିଲା ଏହାର ଓଡ଼ିଶାର ରାଜଧାନୀ । ୧୯୪୮ମସିହାରେ ଭୁବନେଶ୍ୱର ସହରର ଭିତି ପ୍ରସ୍ତର ସ୍ଥାପନ ହୋଇଥିଲା । ରାଜଧାନୀ ସହରର ନକ୍ସା ତିଆରି କରିଥିଲେ ସେତେବେଳେ ବିଶ୍ୱର ସୁନାମଧନ୍ୟ ସ୍ଥପତି ତଥା ଜର୍ମାନର ଟାଉନପ୍ଲାନର ଓଟ୍ଟୋ କୋଏନିଗସବର୍ଗର । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସହ ଓଟ୍ଟୋ କୋଏନିଗସ୍ବର୍ଗରଙ୍କ ଫଟୋ । ରାଜଧାନୀ ହେବା ପରେ ଆଉ ପଛକୁ ଫେରି ଚାହିଁନି ଭୁବନେଶ୍ୱର ।

ଏହା ଭିତରେ ଏମିତି ୨୭ ହଜାରରୁ ଅଧିକ ଦିନ ଆଉ ରାତିକୁ ଦେଖିସାରିଲାଣି ଭୁବନେଶ୍ୱର । ଏହା ଭିତରେ ୯୦୦ ମାସ, ୪ ହଜାର ସପ୍ତାହ ବିତିଯାଇଥିବାବେଳେ । ୬ ଲକ୍ଷରୁ ଅଧିକ ଘଣ୍ଟା ଜିଇସାରିଲାଣି ରାଜଧାନୀ । ଆଜି ରାଜଧାନୀକୁ ପୂରିଛି ୭୫ ବର୍ଷ । ଆଜିର ଦିନରେ ଓଡିଶାର ରାଜଧାନୀ ମାନ୍ୟତା ପାଇଥିଲା ଆମ ଭୁବନେଶ୍ୱର । 

Leave a Reply

Your email address will not be published. Required fields are marked *