Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କୁ ସତ ବାଧୁଛି, ଅମୂଳକ କଥା କହୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

1 min read

ମୁଖ୍ୟମନ୍ତ୍ରୀଙ୍କୁ ସତ କହିଲେ ବାଧୁଛି । ସମ୍ବଲପୁରର ମୂଳ ଦାୟିତ୍ୱରୁ ବାହାରି ଲୋକଙ୍କୁ ଅମୂଳକ କଥା ସବୁ କହୁଛନ୍ତି ବୋଲି ଆଜି ସମ୍ବଲପୁର ମହାନ୍ତିପଡାରେ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୨୪ ବର୍ଷ ଶାସନରେ ପର୍ଯ୍ୟାପ୍ତ ଧନରାଶି ମୋଦୀ ସରକାର ଦେବା ପରେ ମଧ୍ୟ ସମ୍ବଲପୁରରେ ପାନୀୟ ଜଳର ସୁବିଧା ନାହିଁ କାହିଁକି ? ସ୍କୁଲରେ ଶିକ୍ଷକ ନଥିବା ବେଳେ ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି ? ପ୍ରାଥମିକ ଚିକିତ୍ସା ପାଇଁ ଗ୍ରାମରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି ନା ନାହିଁ ? ଲୋକମାନେ ଭିଟାମାଟି ଛାଡି ବାହାରକୁ କାମ କରିବାକୁ ଯାଉଛନ୍ତି ନା ନାହିଁ ? ରାଜ୍ୟ ସରକାର ସମ୍ବଲପୁରକୁ ମହାନଗର ନିଗମ କଲେ । ଏହା ସତ୍ତ୍ୱେ ୧୦ ବର୍ଷ ହେବ ସ୍ଥାନୀୟ ଲୋକମାନଙ୍କୁ ମହାନଗର ନିଗମ ନିର୍ବାଚନ ପାଇଁ ସୁଯୋଗ ଦିଆଯାଇନାହିଁ । ଆଜି ‘ସନ୍ଥ କବି’ ଓ ‘ସ୍ଵଭାବ କବି’ ମଧ୍ୟରେ ପାର୍ଥକ୍ୟ ଜାଣିପାରୁନଥିବା ଲୋକ ଓଡ଼ିଶାର ନେତା ହେବା କଥା କହୁଛି । ମୁଖ୍ୟମନ୍ତ୍ରୀ ଜଣେ ଆମଦାନୀ ନେତା ଆଣିଛନ୍ତି । ଏଥର ଓଡ଼ିଶାର ନେତୃତ୍ୱ ଜଣେ ଓଡ଼ିଆ ନେବ, ଏହା ନିଃସନ୍ଦେହ ।

Advertisement

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିନକୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ପ୍ରତି ଅଭୁତପୂର୍ବ ଜନସମର୍ଥନ ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦୀ ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ଓଡ଼ିଶାରେ ବିକଳ୍ପ ସରକାର ହେବ । ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚୟ ହେବ । ଓଡ଼ିଆ ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଓଡ଼ିଆ ଲୋକେ ମନସ୍ଥ କରି ସାରିଛନ୍ତି । ମା’ ସମଲେଇଙ୍କ ଆଶୀର୍ବାଦରେ ଏଥର ବିଜେପି ସରକାର ଦେଶରେ ୪୦୦ ସିଟରୁ ଅଧିକ ଆସନ ହାସଲ କରିବା ସହ ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି । ସମ୍ବଲପୁରକୁ ନୂଆ ସମ୍ବଲପୁର କରିବାରେ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଯୋଗଦାନ ଦେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନେକ ନେତା, କର୍ମୀ, ବିଶେଷ ଭାବରେ ଯୁବବର୍ଗମାନେ ବିଜେପିରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *