Pratidin TV

Odisha's Digital News Platform

ଅନ୍ତଃଜିଲ୍ଲା ବେଆଇନ କଫ ସିରଫ ରାକେଟକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ

1 min read

ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା l ଆଜି ସମ୍ବଲପୁର ପୋଲିସ ଏକ ବଡ ଧରଣର ଅନ୍ତଃଜିଲ୍ଲା ବେଆଇନ କଫ ସିରଫ ରେକେଟକୁ ଠାବ କରିବାରେ ସଫଳ ହୋଇଛି l ଏହି ମାମଲାରେ ସମ୍ବଲପୁର ପୋଲିସ ୩ଟି ଜିଲ୍ଲାର ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ୧୦ ହଜାର ୮ ଶହ ବୋତଲ ବେଆଇନ କଫ ସିରଫ ଜବତ କରିଛି l ଏହାସହ ଏହି ଅଭିଯୁକ୍ତ ମାନଙ୍କ ଠାରୁ ୧୧ ଟି ମୋବାଇଲ ଫୋନ, ଗୋଟିଏ ଟ୍ରକ, ଗୋଟିଏ ମହିନ୍ଦ୍ରା ବୋଲେରୋ, ୨ଟି ଅଟୋ ରିକ୍ସା,ଗୋଟିଏ ଟିଭିଏସ ସ୍କୁଟି, ଗୋଟିଏ ବୁଲେଟ ସହ ନଗଦ ୨୦ ହଜାର ଟଙ୍କା ମଧ୍ୟ ଜବତ କରିଛି ସମ୍ବଲପୁର ପୋଲିସ l

ଏକ ବିଶିଷ୍ଟ ସୂତ୍ରରୁ ସୂଚନା ପାଇ ସମ୍ବଲପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ପଡିଆବାହାଲ ଅଞ୍ଚଳର ନୀଳଡୁଙ୍ଗରି ନିକଟରୁ ଏହି ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିଥିଲା ପୋଲିସ l ଏହି ସବୁ କଫ ସିରଫକୁ ପଶ୍ଚିମବଙ୍ଗର ଡାଙ୍କୁନି ଓ ହୁଗୁଳି ଜିଲ୍ଲାରୁ କିଣାଯାଇ ସମ୍ବଲପୁରକୁ ଅଣାଯାଉଥିଲା l ଆଗାମୀ ହୋଲି ଓ ନିର୍ବାଚନ ସମୟରେ ନିଶାଗ୍ରସ୍ତ ଯୁବକ ମାନଙ୍କୁ ଏହି ସବୁ କଫ ସିରଫ ଚଢା ଦରରେ ବିକ୍ରି କରିବାର ଯୋଜନା କରିଥିଲେ ଅଭିଯୁକ୍ତମାନେ l ଅଭିଯୁକ୍ତମାନେ ସମସ୍ତେ ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ନେଇ ସୂଚନା ମିଳିଛି l ଧରାପଡ଼ିଥିବା କେତେକ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ଥିବା ନେଇ ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି l ପ୍ରଥମେ କେତେକ ଅଭିଯୁକ୍ତଙ୍କୁ ପଡ଼ିଆବାହାଲ ନୀଳଡୁଙ୍ଗୁରି ଅଞ୍ଚଳରୁ ଗିରଫ କରାଯିବା ପରେ ସେମାନଙ୍କୁ ପଚରାଉଚୁରା କରାଯିବାରୁ ଏହି ମାମଲାର ଲିଙ୍କରେ ମୋଟ ୨୬ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ l ଅଭିଯୁକ୍ତମାନଙ୍କ ଠାରୁ ଏକ ପକେଟ ଡାଇରି ମଧ୍ୟ ଜବତ କରିଛି ପୋଲିସ l ଏହି ପକେଟ ଡାଇରିରେ ଆହୁରି ମଧ୍ୟ କଫ ସିରଫ ଚୋରା ଚାଲାଣକାରୀମାନଙ୍କ ନାମ ଥିବା ସୂଚନା ମିଳିଛି l

Advertisement

Leave a Reply

Your email address will not be published. Required fields are marked *