Pratidin TV

Odisha's Digital News Platform

ସମଲିଙ୍ଗୀ ବିବାହକୁ ମିଳିବ କି ଆଇନର ମାନ୍ୟତା ?ଆଜି ଆସିବ ସୁପ୍ରିମକୋର୍ଟର ରାୟ

ଦୀର୍ଘ ଦିନ ଅପେକ୍ଷାର ଆଜି ଆସିବ ରାୟ । ଯାହାକୁ ସାରା ଦେଶ ଚାହିଁ ବସିଛି । ଆଜି ଆସିବ ସମଲିଙ୍ଗୀ ବିବାହ ରାୟ । ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ହୋଇଥିବା ଆବେଦନର ରାୟ ଆଜି ଶୁଣାଇବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗତ ଏପ୍ରିଲ ୧୧ ତାରିଖରେ ଶୁଣାଣି ଆରମ୍ଭ କରିଥିଲେ । ଲଗାତାର ଭାବେ ୧୦ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ମେ’ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟ ଏ ସମ୍ପର୍କରେ ଆଗତ ପ୍ରାୟ ୧୨୧ଟି ପିଟିସନର ଏକାଠି ଶୁଣାଣି କରିଥିଲେ । ଆଜି ସୁପ୍ରିମକୋର୍ଟ ୨୦ ଟି ଆବେଦନ ଉପରେ ଏହାର ରାୟ ପ୍ରଦାନ କରିବେ । ସମ୍ବିଧାନ ବେଞ୍ଚରେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଂଜୟ କିଶାନ କୋଲ,ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ,ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ ନରସିମା ସାମିଲ ହୋଇଥିଲେ । ସମଲିଙ୍ଗ ବିବାହକୁ ଆଇନ ମାନ୍ୟତା ଦେବା ନେଇ କେନ୍ଦ୍ର ସରକାର ଆରମ୍ଭରୁ ହିଁ ଏବେ ପର୍ଯ୍ୟନ୍ତ ବିରୋଧ କରି ଆସୁଛନ୍ତି । ସରକାରଙ୍କ କହିବା ମୁତାବକ ଯେ ଏହା କେବଳ ଦେଶର ସାଂସ୍କୃତିକ ତଥା ନୈତିକ ପରମ୍ପରା ବିରୁଦ୍ଧରେ ନୁହେଁ, ବରଂ ଏହାକୁ ସ୍ୱୀକୃତି ଦେବା ପୂର୍ବରୁ ୨୮ ଟି ଆଇନର ୧୫୮ ଟି ବ୍ୟବସ୍ଥାରେ ପରିବର୍ତ୍ତନ କରି ବ୍ୟକ୍ତିଗତ ଆଇନକୁ ମଧ୍ୟ ବଦଳାଇବାକୁ ପଡିବ ।

Leave a Reply

Your email address will not be published. Required fields are marked *