Pratidin TV

Odisha's Digital News Platform

ସନ୍ଦୀପ ଘୋଷଙ୍କୁ  ନିରାଶ କରିଦେଲା  ସୁପ୍ରିମକୋର୍ଟ..

1 min read

କୋଲକାତାର ଆର.ଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆର ଜି କର ମେଡିକାଲ କଲେଜ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ତେବେ ଏହି ମାମଲାରେ ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ହେବାର ଗୁରୁତର ଅଭିଯୋଗ ଆସିଥିଲା। ଏହି ଅଭିଯୋଗର କେନ୍ଦ୍ରରେ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ରହିଥିଲେ । ୩ଦିନ ତଳେ କୋଲକାତା ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ତଦନ୍ତ ନେଇ କୋଲକାତା ହାଇକୋର୍ଟ ସିବିଆଇକୁ ଦାୟିତ୍ବ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ହାଇକୋର୍ଟର ରାୟକୁ ବିରୋଧ କରି ସନ୍ଦୀପ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟରେ ଆବେଦନ କରି ଘୋଷ ଜଣାଇଥିଲେ ଯେ, ମୁଁ ତଦନ୍ତକୁ ବିରୋଧ କରୁନାହିଁ। କିନ୍ତୁ ଦୁର୍ନୀତି ମାମଲା ସହ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ଯୋଡ଼ିବା ବେଆଇନ । ଏହା ସହ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କଲିକତା ହାଇକୋର୍ଟ ମୋର ପକ୍ଷ ଶୁଣି ନଥିଲେ । ମୁଁ ଚାହୁଛି ଯେ, ଦୁର୍ନୀତି ଓ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ନମିଶାଇ ଅଲଗା ଭାବେ ତଦନ୍ତ କରାଯାଉ । ଏହି ଆବେଦନର ଶୁଣାଣି ବେଳେ ମୁଖ୍ୟ ବିଚରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, କିପରି ଅନୁସନ୍ଧାନ କରାଯିବା ଉଚିତ୍, ଆମେ ତାହା ସିବିଆଇକୁ କହିବୁ ନାହିଁ । କଲିକତା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଆଧାର କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତୁମର ପକ୍ଷ ଶୁଣିବା ଜରୁରୀ ନୁହେଁ । ” ପୂର୍ବରୁ ଆଇଏମ୍‌ଏ ଘୋଷଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲା।

Advertisement

Leave a Reply

Your email address will not be published. Required fields are marked *