ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି , କହିଲେ ପୁଅର ଭୁଲ୍ ପାଇଁ ଭାଙ୍ଗିପାରିବେନି ବାପାଙ୍କ ଘର ..
1 min readଏକାଧିକ ରାଜ୍ୟ ସରକାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଉପରେ ଶୁଣାଣୀ କରି କଡ଼ା ମନ୍ତବ୍ୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଜଣେ ବ୍ୟକ୍ତି ଦୋଷୀ ହୋଇଥିଲେ ମଧ୍ୟ ଆଇନ ଅନୁଯାୟୀ ଧାର୍ଯ୍ୟ ପଦ୍ଧତି ଅନୁସରଣ ନକରି ତାଙ୍କ ଘର ଭଙ୍ଗାଯାଇ ପାରିବ ନାହିଁ। ଏହି ଭଙ୍ଗାରୁଜା କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ ସେ ଜଣେ ଅଭିଯୁକ୍ତ ଥିବାରୁ କାହାର ଘର କିପରି ଭାଙ୍ଗି ପାରିବ? ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହା କୌଣସି ଅନଧିକୃତ ନିର୍ମାଣକୁ ସୁରକ୍ଷା ଦେବ ନାହିଁ।
ଶୁଣାଣି ସମୟରେ ୟୁପି ସରକାର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ମ୍ୟୁନିସିପାଲିଟି ନିୟମ ଅନୁଯାୟୀ, କେବଳ ନୋଟିସ ଦେଇ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇପାରେ। କାହାର କୌଣସି ଅପରାଧରେ ଅଭିଯୁକ୍ତ କାରଣରୁ ନୁହେଁ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଏ ବାବଦରେ କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବାର ଆବଶ୍ୟକତା ରହିଛି, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବା ଉଚିତ୍। ତୁଷାର ମେହେଟ୍ଟା କହିଛନ୍ତି, ଅଧିକାଂଶ କ୍ଷେତ୍ରରେ ବେଆଇନ ନିର୍ମାଣ ବିରୋଧରେ ନୋଟିସ ଦିଆଯାଇସାରିଛି। ଏହା ଉପରେ କୋର୍ଟ କହିଛନ୍ତି ଯେ, ଆମେ ମଧ୍ୟ ବେଆଇନ ନିର୍ମାଣକୁ ସଂରକ୍ଷଣ କରିବା ସପକ୍ଷରେ ନାହୁଁ, କିନ୍ତୁ ପୁଅର ଭୁଲ ହେତୁ ବାପାଙ୍କ ଘର ଭାଙ୍ଗିବା ଠିକ ନୁହେଁ। ଏହା ପରେ ମେହେଟ୍ଟା କହିଛନ୍ତି ଯେ, ଆମେ ମଧ୍ୟ ସମସ୍ତ ପକ୍ଷଙ୍କ ସହ କଥାବାର୍ତ୍ତା କରି ସମାଧାନ ଖୋଜିବାକୁ ଚେଷ୍ଟା କରିବୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ।