Pratidin TV

Odisha's Digital News Platform

ଆସୁଥିଲା ଟ୍ରେନ , ଟ୍ରାକରେ ଫସିଲା ସ୍କୁଲ ବସ ..

1 min read

ଟ୍ରେନ ଟ୍ରାକ ଅତିକ୍ରମ କରୁଥିଲା ସ୍କୁଲ ବସ । ଠିକ ଏହି ସମୟରେ ବନ୍ଦ ହୋଇଯାଇଥିଲା ରେଳ ଧାରଣାର ଫାଟକ । ଏପଟେ ଦ୍ରୁତ ଗତିରେ ମାଡି ଆସୁଥିଲା ଟ୍ରେନ    । ସେହି ବସ ଭିତରେ ଜୀବନ ମରଣ ସହିତ ସଂଘର୍ଷ କରୁଥିଲେ ଅନେକ ନିରୀହ ଜୀବନ । ଏପରି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି  ମହାରାଷ୍ଟ୍ରର ନାଗପୁରରେ।  ୪୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ ଦୁର୍ଘଟଣାର  ସମ୍ମୁଖୀନ ହୋଇଛି। ସୂଚନାନୁଯାୟୀ ପୂର୍ବାହ୍ନରେ ଏକ ସ୍କୁଲ ବସ ଖପ୍ରାଖେଡ଼ା ରେଳ ଫାଟକ ଅତିକ୍ରମ କରୁଥିଲା। ଟ୍ରେନ ଆସିବାକୁ ଥିବାରୁ ରେଳ ଫାଟକ ଜଗୁଆଳି ଗେଟ ବନ୍ଦ କରୁଥିଲେ। ବସଟି ଗୋଟିଏ ପଟ ଗେଟ ଅତିକ୍ରମ କରିସାରିଥିଲା। ଅନ୍ୟପଟେ ପହଞ୍ଚିଲା ବେଳକୁ ସେହି ଫାଟକଟି ବନ୍ଦ ହୋଇଯାଇଥିଲା।  ଫଳରେ ରେଳ ଧାରଣା ଉପରେ ବସ୍‌ ଅଟକି ରହିଥିଲା।

ଏପଟେ ସ୍କୁଲ ବସ ଅଟକିଥିବାବେଳେ ସେପେଟ ଆସୁଥିଲା ଛିନ୍ଦଓ୍ବାରା-ଇଟଓ୍ବାରୀ ଏକ୍ସପ୍ରେସ ଟ୍ରେନ। ଯାହା ଫଳରେ ସ୍କୁଲ ପିଲାମାନେ ଆତଙ୍କିତ ହୋଇପଡ଼ିଥିଲେ। ତରବରିଆ ଭାବେ ପିଲାଙ୍କୁ ବସରୁ ଖାଲି କରିବାକୁ ଉଦ୍ୟମ ଆରମ୍ଭ ହେଲା। ଏହାପରେ  ସ୍ଥାନୀୟ ବାସିନ୍ଦା ନିଜ ଗାଡ଼ିରୁ ଓହ୍ଲାଇ ଟ୍ରାକକୁ ଆସିଯାଇଥିଲେ। ଅନେକ ଲୋକ ଲାଲ ପତାକା ଧରି ଟ୍ରାକରେ ଛିଡ଼ା ହୋଇ ଟ୍ରେନ ଅଟକାଇବାକୁ ଚେଷ୍ଟା କରିଥିଲେ। କିଛି ଲୋକ ରାସ୍ତା କାମରେ ନିୟୋଜିତ ହେଉଥିବା ପ୍ଲାଷ୍ଟିକ ବ୍ୟାରିଅର ଆଣି ଟ୍ରାକରେ ପକାଇଥିଲେ। ସୌଭାଗ୍ୟବଶତଃ ଟ୍ରେନ ଚାଳକ ଦୂରରୁ ଏହା ଦେଖିପାରିଥିଲେ। ଫଳରେ ଶେ​‌ଷ ମୁହୂର୍ତ୍ତରେ ସେ ଟ୍ରେନରେ ବ୍ରେକ୍ ଲଗାଇଥିଲେ ଏବଂ ବସ୍‌ଠାରୁ କିଛି ଦୂରରେ ଟ୍ରେନ ଅଟକି ରହିଥିଲା। ଏହା ପରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ତେବେ ରେଳ ସୁରକ୍ଷା ଏହି ଘଟଣାର ତଦନ୍ତ କରିବା ସହିତ ଫାଟକ ଜଗୁଆଳି ଙ୍କ ନାମରେ  ନୋଟିସ ଜାରି କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *