ଚାଳ ଛପର ଘରେ ଚାଲିଛି ପାଠପଢା : ୧୨ ବର୍ଷ ହେଲ ଅଧା ପଡିଛି ସ୍କୁଲ ଘର, ଧାରଣା ଦେଲେ ଅଭିଭାବକ ….
1 min readଉଦଳା : ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପଢିବା ନିମନ୍ତେ ଆଜି ପର୍ଯ୍ୟନ୍ତ ନାହିଁ ସ୍ଥାୟୀ ଘରଟିଏ । ବହୁ ବର୍ଷ ପୂର୍ବରୁ ସ୍କୁଲ ପରିଚାଳନା କମିଟିର ସଭାପତି ଏବଂ ପ୍ରଧାନଶିକ୍ଷକ ମିଳିତ ଭାବେ ବିଦ୍ୟାଳୟ ଗୃହ ନିର୍ମାଣ କରୁଥିବା ବେଳେ ତାହା ଚାରି ବର୍ଷରୁ ଅଧିକ ହେବ ସଂପୂର୍ଣ୍ଣ ହୋଇପାରିନାହିଁ । ହେଲେ ଘର ବାବଦରେ ସମସ୍ତ ଟଙ୍କା ଉଠାଣ ହୋଇଯାଇଛି । ଯାହାଫଳରେ ଚାଳଛପର ଘର ତଳେ ବସି ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଯାହାକୁ ନେଇ ଆଜି ତାତିଛନ୍ତି ଅଭିଭାବକ ଏବଂ ଗ୍ରାମବାସୀ । ବିଦ୍ୟାଳୟ ଗେଟରେ ତାଲା ପକାଇବା ସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଶିକ୍ଷା ବ୍ଲକ ଅଧିନରେ ଥିବା ମଝିଗଡିଆ ପଂଚାୟତ ଦାମାସାହି ପ୍ରାଥମିକ ବିଦ୍ୟାଳୟରେ ।
ଏହି ବିଦ୍ୟାଳୟରେ ୪୫ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି । ବିଦ୍ୟାଳୟ ପାଇଁ ଉପଯୁକ୍ତ ଶ୍ରେଣୀ ଗୃହ ନାହିଁ କିମ୍ବା ବିଦ୍ୟାଳୟ ପାଇଁ ଛାତ ଘର ନାହିଁ । ଯାହାଫଳରେ ଛାତ୍ରଛାତ୍ରୀମାନେ ଚାଳଛପର ତଳେ ବସି ପାଠ ପଢନ୍ତି । ବହୁ ବର୍ଷ ପୂର୍ବରୁ ଏହି ବିଦ୍ୟାଳୟ ନିମନ୍ତେ ଘର କାମ ଆରମ୍ଭ ହୋଇଥିଲା । ଯାହାକି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମୁଦୁଲି ଏହି ଘର ତିଆରି କରୁଥିବା ବେଳେ ଘର ସଂପୂର୍ଣ୍ଣ ନ କରି ସମସ୍ତ ଟଙ୍କା ଉଠାଣ କରି ଚଳୁ କରିଦେଇଛନ୍ତି । ଯାହାଫଳରେ ଘର ନିର୍ମାଣ ହୋଇପାରୁନାହିଁ ।
ଏପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ପ୍ରଧାନଶିକ୍ଷକ । ଯାହାକୁ ନେଇ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତି ଶତପଥୀଙ୍କୁ ତୁରନ୍ତ ବଦଳି କରିବା ସହିତ ବିଦ୍ୟାଳୟ ଗୃହ ନିର୍ମାଣ ଦାବି ନେଇ ଆଜି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ଏପରିକି ଶିକ୍ଷକଙ୍କ ଗାଡିକୁ ଚେନରେ ବାନ୍ଧି ତାଲା ପକାଇ ରଖିଛନ୍ତି ଆନ୍ଦୋଳନକାରୀ । ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।