ବିବାହ ଭୋଜି ବନିଲା କାଳ : ବିଦ୍ୟୁତ୍ ତାର ନେଲା ଷଷ୍ଠ ଶ୍ରେଣୀ ଛାତ୍ରର ଜୀବନ ..
1 min readଖୋର୍ଦ୍ଧା : ବିଦ୍ୟୁତ୍ ତାର ସାଜିଲା କାଳ । ଚାଲିଗଲା ଜଣେ ନାବାଳକର ଜୀବନ । କାନ୍ଦ ବୋବାଳିରେ ଫାଟିପଡୁଛି ଘର ଓ ଗାଁ ଦାଣ୍ଡ । ଏଭଳି ଏକ ହୃଦୟ ବିଦାରକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଙ୍ଗାଁ ଥାନା ଅନ୍ତର୍ଗତ ଖରିବନ୍ଧ ଗାଁରେ ଘଟିଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ଶଙ୍କର ସ୍ୱାଇଁ (୧୧) । ସେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ।
ସୂଚନାଯୋଗ୍ୟ ଯେ ରବିବାର ଖରିବନ୍ଧ ଗ୍ରାମରେ ଏକ ଚତୁର୍ଥୀ ଭୋଜି ଚାଲିଥିଲା । ଭୋଜି ସେହି ଗ୍ରାମର ସ୍କୁଲ ନିକଟରେ ହେଉଥିବାରୁ , ଟେଣ୍ଟ ହାଉସର ଲୋକମାନେ ସ୍କୁଲ ପରିସରରେ ଥିବା ସ୍ଲାଇଡର ଦେଇ ତାର ଟାଣି ଟାଣି ଭୋଜିରେ ବିଦ୍ୟୁତ୍ର ସଂଯୋଗ କରିଥିଲେ । ଅନ୍ୟପଟେ ଶଙ୍କର ନିଜ ସାଙ୍ଗମାନଙ୍କ ସହ ସ୍କୁଲ ଭିତରେ ଖେଳୁଥିବା ସମୟରେ ସେହି ତାର ସସ୍ପର୍ଶରେ ଆସିଯାଇଥିଲା । ସେ ତାରଟିକୁ ହାତରେ ଧରି କାଢିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଠାରେ ଲାଖି ରହିଯାଇଥିଲା । ଏହା ଦେଖି ଲୋକମାନେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କାଟିଦେଇଥିଲେ ।
ଏହାପରେ ପରିବାର ଲୋକେ ସେଠାରେ ପହଞ୍ଚି ଶଙ୍କରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଏଭଳି ଏକ ଅଭାବନୀୟ ଘଟଣା କାହିଁକି ଘଟିଲା ଏନେଇ ସିଆରସି ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ଗତକାଲି ରବିବାର ଥିବା ସତ୍ତ୍ୱେ ସ୍କୁଲ୍ ଗେଟ୍ କିଏ ଖୋଲିଲା, କିଏ ସ୍କୁଲ ପରିସରରେ ଥିବା ସ୍ଲାଇଡର ଉପରେ ତାର ଟାଣିବାକୁ ଟେଣ୍ଟ ହାଉସ କର୍ମଚାରୀଙ୍କୁ ଅନୁମତି ଦେଲା ବୋଲି ଅନେକ ପ୍ରଶ୍ନ ଉଠୁଛି ।