ପିଆଇସିଟି ବର୍ଥରେ କୋକେନ ଖୋଜୁଛି ସ୍କୁବା ଡ୍ରାଇଭର, ଚଢାଉବେଳେ ସମୁଦ୍ରକୁ ଫିଙ୍ଗଥିବା ନେଇ ସନ୍ଦେହ!
1 min readପାରାଦୀପ: କିଛିଦିନ ତଳେ ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ପହଞ୍ଚିଥିବା ଜାହାଜରୁ ୨୨୦ କୋଟି ଟଙ୍କାର ମିଳିଥିଲା କୋକେନ । କିଏ କୁଆଡୁ ଅବା କେଉଁଠାକୁ ନେଉଥିଲା ଏତେ ମାତ୍ରାର କୋକେନ । ଯାହାର ତଦନ୍ତର ଚାଲିଥିବା ବେଳେ ଏବେ ଏହାକୁ ଜୋରଦାର କରିଛି କଷ୍ଟମ୍ସ ବିଭାଗ । ଜାହାଜର ପାଣିଟାଙ୍କି ଓ ପୂର୍ବରୁ ପିଆଇସିଟି ବର୍ଥର ଯେଉଁ ସ୍ଥାନରେ ଜାହାଜ ରହିଥିଲା ତାହାକୁ ସ୍କ୍ୟୁବା ଡ୍ରାଇଭର ସହାୟତାରେ ଯାଞ୍ଚ କରାଯାଇଛି । ଟାଙ୍କି କିମ୍ବା ଜାହାଜ ତଳକୁ କୋକେନ ପ୍ୟାକେଟ ଫିଙ୍ଗା ଯାଇଥିବା ସନ୍ଦେହ କରୁଛି କଷ୍ଟମ୍ସବିଭାଗ । ଦୁଇଜଣ ସ୍କୁବା ଡ୍ରାଇଭର ସମୁଦ୍ରରେ ପଶି ବିଭିନ୍ନ ସ୍ଥାନ ଖୋଜାଖୋଜି କରୁଛନ୍ତି । ୨୩ ପ୍ୟାକେଟ୍ କୋକେନରୁ ୨୨ ପ୍ୟାକେଟ୍ ମିଳିଥିବା ବେଳେ ଗୋଟିଏ ପ୍ୟାକେଟ୍ ଜାହାଜ ତଳେ ଥିବା ପାଣି ଟ୍ୟାଙ୍କରରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରୁଛନ୍ତି ।
ଜାହାଜର ସମସ୍ତ ସଦସ୍ୟ ଭିଏତନାମର ହୋଇଥିବାରୁ ତଦନ୍ତ ସମୟରେ ସେମାନଙ୍କ ଭାଷା ବୁଝିବାରେ ସମସ୍ୟା ହେବାରୁ , ଦୁଇଦିନ ତଳେ ଦୁଇଜଣ ଇଣ୍ଟରପ୍ରିଟର ଙ୍କୁ ଆଣି ତଦନ୍ତ କରୁଥିଲା କଷ୍ଟମ୍ସ ବିଭାଗ । ପାଣିଟାଙ୍କି କିମ୍ବା ବର୍ଥ ଭିତରେ କେତେଗୁଡିଏ କୋକେନ ପ୍ୟାକେଟ ପଡିଥିବା ସନ୍ଦେହ କରୁଛି କଷ୍ଟମ୍ସ ବିଭାଗ । ଜାହାଜ ର ପାଖାପାଖି ୬ ଜଣ କ୍ରେନ ଅପରେଟର ଓ ଦୁଇଜଣ ଇଞ୍ଜିନିୟର ଙ୍କ ଉପରେ କଷ୍ଟମ୍ସ ବିଭାଗ ସନ୍ଦେହ ହେଉଥିବା ବିଶେଷ ସୁତ୍ରରୁ ଜଣାପଡିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ କଷ୍ଟମ୍ସ ବିଭାଗ ଆଇନ ଜାଲରେ ଛନ୍ଦିବାର ସମ୍ଭାବନା ରହିଛି । ତେବେ ପାଣିରୁ କ’ଣ ମିଳିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ମାମଲାର ପ୍ରମାଣ ଯୋଗାଡ କରିବା ଓ ତଦନ୍ତକୁ ଆହୁରି ଜୋରଦାର କରିବା ପାଇଁ ଆଜି ଫରେନ୍ସିକ୍ ଟିମ୍ ଜାହାଜକୁ ଆସି ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଗତ ୧ ତାରିଖ ଦିନ ଜାହାଜର କ୍ରେନ୍ ଚ୍ୟାମ୍ପରରୁ ମିଳିଥିଲା କୋକେନ୍ । ଏହି କୋକେନକୁ ନେଇ ୧୦ ଦିନ ହେବ କଷ୍ଟମ ବିଭାଗ, ଦିଲ୍ଲୀର ଏନ୍ସିବି ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ ଟେଷ୍ଟ ପାଇଁ କୁଜଙ୍ଗ କୋର୍ଟର ଅନୁମତି ମିଳିସାରିଛି ।