Pratidin TV

Odisha's Digital News Platform

ନୂଆ ବର୍ଷ ପାଳନ ଲାଗି ଆସିଲା ଗାଇଡ୍‌ଲାଇନ

ଆସୁଛି ନୂଆ ବର୍ଷ । ଜମିଲାଣି ମାହୋଲ୍‌। ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ନୂଆବର୍ଷକୁ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେନେଇ ଉଭୟ କମିଶନରେଟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି। ତେବେ ନୂଆ ବର୍ଷକୁ ନେଇ ଜିରୋ ନାଇଟ ସେଲିବ୍ରେସନର ପୂର୍ବରୁ ପ୍ରସ୍ତୁତି ଶେଷ ହୋଇଛି। ହେଲେ ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୋଲିସ ଓ ଅବକାରୀ ବିଭାଗ । ୧୨ ଟା ରାତି ପରେ କ୍ଲବ, ପବ୍‌ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି। କିନ୍ତୁ ୩୧ ତାରିଖ ରାତିରେ ଜିରୋ ନାଇଟ ଉତ୍ସବ ପାଳନ ନେଇ କୌଣସି କାର୍ଯ୍ୟକ୍ରମ ଲାଗି ଘରୋଇ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ। ଅମାନିଆଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି।ଭୁବନେଶ୍ୱରରରେ ରେଭ୍‌ ପାର୍ଟି ଜମିବ। ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ ଓ ହୋଟେଲରେ ଯାଂଚ କରାଯିବ । ସେହିପରି କମିସନରେଟ ପୋଲିସର କଡ଼ା ଚେତାବନୀ ଦେଇଛି । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ଜିରୋ ନାଇଟରେ ମତୁଆଲା ହୁଅ ହେଲେ ମଦ ପିଇ ରାସ୍ତାକୁ ଓହ୍ଲାଅନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି ।

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଡିସେମ୍ୱର ୩୧ ଓ ଜାନୁଆରୀ ୧ ତାରିଖରେ ଭୁବନେଶ୍ୱର ପୁଲିସ ବ୍ୟାପକ ଭାବେ ପହରା ମାରିବ। ଭିଡ଼ ନିୟନ୍ତ୍ରଣ ଓ ମଦ୍ୟପଙ୍କ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ ହେବ। ମଦ୍ୟପ ଚାଳକଙ୍କୁ ଧରିବା ଲାଗି ସମସ୍ତ ଥାନାକୁ ବ୍ରେଥ୍‌ ଆନାଲାଇଜର ଦିଆଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।ନୂଆବର୍ଷରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରିଛି। ଡେରାସ, ଏକାମ୍ର ପାର୍କ, ବଟାନିକାଲ ଗାଡେନ୍‌, ନନ୍ଦନକାନନ, ଖଣ୍ଡଗିରି, ଧଉଳି, ଉଦୟଗିରି, ଲିଙ୍ଗରାଜ ମନ୍ଦିର ଭଳି ଦେବାଳୟ କିମ୍ବା ପର୍ଯ୍ୟଟନସ୍ଥଳୀକୁ ଭୋଜି କିମ୍ବା ବୁଲାବୁଲି କରିବାକୁ ଲୋକେ ଆସିବେ। ସେଠାରେ ଜନଗହଳିକୁ ନଜରରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ନୂଆବର୍ଷ ଦିନ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସ୍ୱତନ୍ତ୍ର ଅଧିକାରୀ ନଜର ରଖିବେ। ଏପରିକି ଟ୍ରାଫିକ ଭିଡ଼କୁ ରୋକିବା ଲାଗି ବ୍ୟାରିକଡ୍‌ ବ୍ୟବସ୍ଥା କରାଯିବ। ସାମାଜିକ ଗଣମାଧ୍ୟମରେ ଟ୍ରାଫିକ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *