ଦିଲୀପ୍ କୁମାରଙ୍କୁ ଭାରତରତ୍ନ ଆମ୍ବେଦକର ସମ୍ମାନ: କାନ୍ଦି ପକାଇଲେ ସାୟରା ବାନୋ
1 min readମୁମ୍ବାଇ: ଦିବଂଗତ ଦିଲୀପ କୁମାରଙ୍କୁ ‘ଭାରତରତ୍ନ ଡ.ଆମ୍ବେଦକର’ ପୁରସ୍କାର ପ୍ରଦାନ କରାଯାଇଛି । ଭେଟେରାନ ଅଭିନେତ୍ରୀ ସାୟରା ବାନୁ ସ୍ବାମୀଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପୁରସ୍କାର ଗ୍ରହଣ କରିବା ପରେ ପତି ତଥା ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରିବାକୁ ଦାବି କରିଛନ୍ତି ।
‘ଭାରତରତ୍ନ ଡ.ଆମ୍ବେଦକର’ ପୁରସ୍କାର ଗ୍ରହଣ କରିବା ପରେ ସେ ଭାବବିହ୍ବଳ ହୋଇଥିଲେ । ସାୟରା କହିଥିଲେ ଦିଲୀପ ସାହେବ ଆମ ଦେଶର କୋହିନୂର ଥିଲେ । ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯିବା ଆବଶ୍ୟକ । ପ୍ରକାଶ ଥାଉ କି, ୨୦୨୧ ଜୁଲାଇରେ ୯୮ ବର୍ଷ ବୟସରେ ବର୍ଷିୟାନ ଭେଟେରାନ ଅଭିନେତା ଦିଲୀପଙ୍କର ନିଧନ ହୋଇଥିଲା । ଦିଲୀପଙ୍କ ଯିବା ପରେ ସାୟରା ଏକଦମ ଏକା ହେଇଯାଇଛନ୍ତି । ସ୍ବାମୀଙ୍କ ସ୍ମୃତିକୁ ସାଥୀରେ ନେଇ ବାକି ଜୀବନ କାଟୁଛନ୍ତି ସାୟରା ବାନୁ ।
୧୯୨୨ ମସିହା ଡିସେମ୍ବର ୧୧ରେ ଦିଲୀପ ପେଶାୱର (ପାକିସ୍ତାନ)ରେ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିନୟ ଦୁନିଆରେ ନିଜ କମାଲ ଦେଖାଇ ଦୀର୍ଘ ୫ ଦଶନ୍ଧି ଧରି ବଲିଉଡ୍ରେ ରାଜ କରିଥିଲେ। ୧୯୪୪ରେ ଜ୍ୱାର ଭଟ୍ଟା ଫିଲ୍ମ ଜରିଆରେ ତାଙ୍କର ଡେବ୍ୟୁ ହୋଇଥିଲା।
ଏହାପରେ ସେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଥିଲେ। ମୁଗଲ-ଏ ଆଜମ୍, ଗଙ୍ଗା ଯମୁନା, ମଶାଲ, ଦେବଦାସ, ରାମ୍ ଔର ଶ୍ୟାମ୍, କର୍ମା, ସୌଦାଗର ଭଳି ଫିଲ୍ମରେ ସେ ନିଜର ନିଖୁଣ ଅଭିନୟ ଦେଖାଇଥିଲେ। ଲିଡର, ମଧୁମତୀ, ବିଧାତା ଦିଲୀପ କୁମାରଙ୍କ ଅନ୍ୟତମ ଶ୍ରେଷ୍ଠ ଫିଲ୍ମ।