ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା:ଗିରଫ ହେଲେ ନକ୍ସା ନିର୍ମାତା ..
1 min readଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ୫ ଦିନ ପରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ବାନ୍ଧିଛି ପୁଲିସ୍। କୋହ୍ଲାପୁର କ୍ରାଇମବ୍ରାଞ୍ଚ ଆଜି ଭୋରରୁ ମାଲବନ ପୁଲିସ୍ ସହ ଜଏଣ୍ଟ ଅପରେସନ କରି ଏହି ଗିରଫଦାରୀ କରିଛି। ଏହାପରେ କୋହ୍ଲାପୁର ପୁଲିସ୍ ଅଭିଯୁକ୍ତଙ୍କୁ ମାଲବନ ପୁଲିସ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ୍ ରୁଜୁ କରିଥିବା ମାମଲାରେ ଆର୍କିଟେକ୍ ଜଗଦୀପ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଊଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା । ଉଭୟଙ୍କ ଖାମଖିଆଲି ମନୋଭାବ ଓ କର୍ତ୍ତବ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଥିବା ଉଲ୍ଲେଖ କରାଯାଇଥିଲା। ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ।
ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ କରିଥିଲେ। ଉକ୍ତ ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ଗତ ସୋମବାର ତାହା ଭୁଶୁଡ଼ି ପଡ଼ିଥିଲା। ଏନେଇ ମାଲଭାନ ପୁଲିସ୍ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପୂର୍ତ୍ତ ବିଭାଗ ତା’ର ଏଫଆଇଆରରେ କହିଛି ଯେ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨.୪ କୋଟି ଟଙ୍କା ନୌସେନାକୁ ଦିଆଯାଇଥିଲା। ନିର୍ମାଣରେ ନିମ୍ନ ମାନର ଜିନିଷ ବ୍ୟବହାର କରାଯାଇଥିଲା। କଳଙ୍କି ଲାଗି ଥିବା ନଟ ଓ ବୋଲ୍ଟୋ ପ୍ରତିମୂର୍ତ୍ତିରୁ ମିଳିଛି ବୋଲି ଏଫଆଇଆରରେ କୁହାଯାଇଥିଲା ।