Pratidin TV

Odisha's Digital News Platform

ପୂଜା ଖେଡକରଙ୍କୁ ଝଟକା; ଆଇଏଏସ ଚାକିରିରୁ ବରଖାସ୍ତ କଲେ କେନ୍ଦ୍ର ସରକାର

ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ ଝଟକା । ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ବରଖାସ୍ତ କଲେ କେନ୍ଦ୍ର ସରକାର । ଆଇଏଏସ୍ ଅଧିକାରୀ ପୂଜା ଖେଡକର ଗତ କିଛି ଦିନ ଧରି ବିବାଦରେ ରହିଥିଲେ । ନିଜ ବ୍ୟକ୍ତିଗତ ସୂଚନା ଏବଂ ୟୁପିଏସସି ପରୀକ୍ଷାରେ ଚୟନ ପାଇଁ ଭୁଲ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଗତ କିଛି ଦିନ ଧରି ବିବାଦ ଘେରରେ ଅଛନ୍ତି ଆଇଏଏସ୍ ଅଧିକାରୀ ପୂଜା ଖେଡକର । ତେଣୁ ୟୁପିଏସସି ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୫୪ ଅନୁଯାୟୀ ସରକାର ଗତକାଲି ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ ଯଦି ପ୍ରୋବେସନରମାନେ ପୁନଃ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହୁଅନ୍ତି କିମ୍ବା କେନ୍ଦ୍ର ସରକାର ସନ୍ତୁଷ୍ଟ ହୁଅନ୍ତି ଯେ ପ୍ରୋବେସନର ସେବାରେ ନିଯୁକ୍ତି ପାଇଁ ଅଯୋଗ୍ୟ ଅଟନ୍ତି କିମ୍ବା ସେବାର ସଦସ୍ୟ ହେବା ପାଇଁ ଅନୁପଯୁକ୍ତ ଅଟନ୍ତି ତେବେ କେନ୍ଦ୍ର ସରକାର ସେମାନଙ୍କୁ ଚାକିରିରୁ ମୁକ୍ତ କରିପାରିବେ।

ମିଥ୍ୟା ଉପାୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଭିନ୍ନକ୍ଷମ ସଂରକ୍ଷଣ ସୁବିଧା ପାଇବା ଏବଂ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷାରେ ଜାଲିଆତି କରି ଉତ୍ତୀର୍ଣ୍ଣ କରିବା ଅଭିଯୋଗରେ ପୂଜା ଖେଡକର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଭିଯୋଗ ହୋଇଛି ଯେ ସେ ଏ ବାବଦରେ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି। ଠକେଇ ଦ୍ୱାରା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପୂଜା ଖେଡକରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହାପୂର୍ବରୁ ପୂଜା ଖେଡକରଙ୍କ ଦ୍ୱାରା ଦାଖଲ ହୋଇଥିବା ସମସ୍ତ ଦଲିଲର ଯାଞ୍ଚ କରାଯିବା ଉଚିତ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ୟୁପିଏସସି ଜୁଲାଇ ୩୧ରେ ତାଙ୍କ ପ୍ରାର୍ଥୀପତ୍ର ବାତିଲ କରି ଭବିଷ୍ୟତର ପରୀକ୍ଷାରେ ଯୋଗଦେବାକୁ ବାରଣ କରିଥିଲା।

Leave a Reply

Your email address will not be published. Required fields are marked *