Pratidin TV

Odisha's Digital News Platform

ବିୁଶ୍ୱାସ-ଅବିଶ୍ୱାସ-ଅନ୍ଧବିଶ୍ୱାସ ;କଙ୍କାଳ ଖୋଲିଲା ମୃତ୍ୟୁ ଗୁମର !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଗୁମର ଖୋଲିଲା ଅଭିଯୁକ୍ତ ମଦ୍ୟପ । ବାରହା ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାରରେ ପଡି ଚାଲିଗଲା ନିରୀହ ନିଷ୍ପାପ ଜୀବନ । ମୃତକ ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବାଲିପଶି ଗାଁର ସନାତନ ବେହେରା । ସନାତନଙ୍କ ମୃତ୍ୟୁର ରହସ୍ୟକୁ ଲୁଚେଇବା ପାଇଁ ଅଭିଯୁକ୍ତ ଶିକାରୀ ମାନେ ରଚିଥିଲେ ଗୁପ୍ତ ରହସ୍ୟ । ମୃତ୍ୟୁ ପରେ ସନାତନର ମୃତ ଦେହକୁ ପୋତି ଦେଇଥିଲେ ଅଭିଯୁକ୍ତ । ତେବେ ମୃତ୍ୟୁର ପାଞ୍ଚ ମାସ ପରେ ଗୁମର ଖୋଲିଲା ଅଭିଯୁକ୍ତ ମଦ୍ୟପ ।

ଚଳିତ ବର୍ଷ ମାର୍ଚ୍ଚ ମାସ ୧୧ ତାରିଖ ଦିନ ବାଲିପଶି ଗାଁରେ ଦୋଳ ଯାତ୍ରା ଚାଲିଥିବା ବେଳେ ଅଭିଯୁକ୍ତ ମଦ୍ୟପ ମଦ୍ୟପାନ କରି ସନାତନ ଘରେ ପହଞ୍ଚିଥିଲା । ଆଉ ସ୍ତ୍ରୀ ରିନା ବେହେରାକୁ କାହିଁକି ଶଙ୍ଖା ଓ ସିନ୍ଦୁର ପିନ୍ଧିଛୁ ବୋଲି ପ୍ରଶ୍ନ କରିଥିଲା । ଯାହାକୁ ନେଇ ତାଜୁବ ହୋଇ ଯାଇଥିଲେ ସନାତନଙ୍କ ସ୍ତ୍ରୀ ରୀନା ।ରୀନାଙ୍କ ମନରେ ସନ୍ଦେହ ଜାତ ହେଲା, ଆଉ ମଦ୍ୟପ ଅଭିଯୁକ୍ତର ସତ ଉପାଖ୍ୟାନକୁ ପାଥେୟ କରି ସାଆନ୍ଦା ଫାଣ୍ଡିର ଦ୍ୱାରାସ୍ତ ହୋଇଥିଲେ । ରୀନାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତାର ତନାଘନା ଆରମ୍ଭ କରିଥିଲା । କେନ୍ଦୁପଶି ଗାଁର ସଞ୍ଜୟ ଦେହୁରୀ ଓ ବାଲିପଶି ଗାଁର ପିଲୁ ସେଠୀକୁ ଗିରଫ କରିଥିଲା ପୋଲିସ।

ଘଟଣାରେ ୩ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସାମ୍ନାରେ ପ୍ରକାଶ କରିଛି ଅଭିଯୁକ୍ତ । ବାରହା ଶିକାର କରିବା ଅଭିଯୁକ୍ତଙ୍କ ଦୈନନ୍ଦିନ ପେଷା । ପ୍ରତିଦିନ ବାଲିପଶି ହରିଡାଯୋଡି ନିକଟରେ ୧୧ କେଭି ଖୁଣ୍ଟିରୁ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରନ୍ତି ଅଭିଯୁକ୍ତ ଓ ସହଯୋଗୀ । ଆଉ ସେହି ବନ୍ୟଜନ୍ତୁଙ୍କୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରନ୍ତି ଶିକାରୀ ଟିମ । କିନ୍ତୁ ଶିକାରୀର ଶିକାର ଜାଲରେ ଜଣେ ନିରୀହ ଜୀବନ ଚାଲିଯିବ କେହି କେବେ ଚିନ୍ତା କରି ନଥିଲା ! ସନାତନଙ୍କୁ ଗାଏବ କରି ଦେଇଥିଲେ ଅଭିଯୁକ୍ତ । ଦୁଇ ପୁଅକୁ ନେଇ ପାଞ୍ଚ ମାସ ହେବ ବହୁ ଖୋଜା ଖୋଜି କରିଥିଲେ ସ୍ତ୍ରୀ ରୀନା ।କିନ୍ତୁ ନିରାଶ ହୋଇଯାଇଥିଲେ ।

ଅଭିଯୁକ୍ତ ମଦ୍ୟପର ବୟାନ ଆଧାରରେ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ ।ପରଜଙ୍ଗ ତହସିଲଦାର ତଥା ମାଜିଷ୍ଟ୍ରେଟ ସିରିୟାଲ୍ ଶୁଭ୍ର ପଟେଲ ,ଏସଡିପିଓ ରଞ୍ଜନ କୁମାର ଦେ ଓ ଜିଲ୍ଲା ସାଇଣ୍ଟିଫିକ ଟିମର ଉପସ୍ଥିତିରେ ମୃତ ଦେହକୁ ଉଦ୍ଧାର କରାଯାଇଛି । ଯାହାକୁ ନେଇ ତନାଘନା ଆରମ୍ଭ କରିଦେଇଛି ପରଜଙ୍ଗ ପୋଲିସ । ପଶୁ ଶିକାର ସହିତ ନିରୀହ ନିଷ୍ପାପଙ୍କ ଜୀବନ ନେଉଥିବା ପିଶାଚ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିବାରେ ଲାଗି ପଡିଛି ପୋଲିସ ।ଖୁବଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *