ଆଜି ବିଶ୍ୱ ହାସ୍ୟ ଦିବସ ; ବର୍ତ୍ତମାନ ସ୍ମାଇଲିଂ ଡିପ୍ରେସନ ଶୀକାରରେ ଯୁବପିଢୀ , ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ ..
ଭୁବନେଶ୍ୱର : ମେ ୭ ବିଶ୍ୱ ହାସ୍ୟ ଦିବସ । କିନ୍ତୁ ଆଜିର ଯୁବ ପିଢୀକୁ ଗ୍ରାସ କରିଛି ସ୍ମାଇଲିଂ ଡିପ୍ରେସନ । ଆଜି କାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକମାନେ ଟିକେ ମନଖୋଲା ହସ ହସି ପାରୁନାହନ୍ତି । ନିଜର କଷ୍ଟ , ଯନ୍ତ୍ରଣା , ଦୁଃଖ , ଭୟ ଇତ୍ୟାଦିକୁ ଲୁଚାଇବା ପାଇଁ ସବୁ ସମୟରେ ମୁହଁରେ ଏକ ମିଛ ହସ ରଖୁଛନ୍ତି । ଯାହାକୁ ସ୍ମାଇଲିଂ ଡିପ୍ରେସନ କୁହାଯାଏ ।
ତେବେ ଜଗଜିତ୍ ସିଂ ଗାଇଥିବା ଏକ ଗଜଲ ‘ତୁମ୍ ଇତନା ଜୋ ମୁସ୍କୁରାରହେ ହୋ , କ୍ୟା ଗମ୍ ହେ ଜିସକୋ ଛୁପା ରେହେହୋ’ ବହୁତ୍ ଚର୍ଚ୍ଚିତ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ସେହି ସମୟରେ ହିଁ ଏପରି ଅବସ୍ଥାକୁ ଆସିଥାଏ ଯେଉଁ ସମୟରେ ସେ ଅବସାଦ ବା ଡିପ୍ରେସନର ଶିକାର ହୁଏ ।
ଏହି ପ୍ରକାରର ଉଦାସୀନତାକୁ ହସୁଥିବା ଡିପ୍ରେସନ୍ କୁହାଯାଏ । ବର୍ତ୍ତମାନ ସମାଜରେ ଯୁବପିଢୀଙ୍କ ଠାରେ ଏପରି ଅବସାଦ ଦେଖାଯାଉଛି । ଯାହା ଫଳରେ ଦେଶରେ ତଥା ରାଜ୍ୟରେ ଆତ୍ମହତ୍ୟା ବଢିଚାଲିଛି । ଆଉ ଆତ୍ମହତ୍ୟା ପରେ ଲୋକମାନେ କୁହନ୍ତି ଯେ ବହୁତ ଭଲ ପିଲାଟି ଥିଲା ସବୁବେଳେ ଖୁସି ଦେଖାଯାଉଥିଲା ବା ହସୁଥିଲା । କିନ୍ତୁ ହଠାତ୍ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କାହିଁକି ଗ୍ରହଣ କଲା ? କିନ୍ତୁ ଆମ ବୁଝିବା ଭୁଲ ସବୁବେଳେ ବାହାରୁ ଖୁସି ଦେଖାଯାଉଥିବା ଲୋକ ମନଭିତରେ ଅସୁମାରି କଥା ଭରି ରଖିଥାନ୍ତି । ନା କାହାକୁ ମନ ଖୋଲି କିଛି କହିପାରନ୍ତି ନା ସହିପାରନ୍ତି କେବଳ ନିଜକୁ ଖୁସି ଦେଖାଇବା ପାଇଁ ବାହାରୁ ମିଛ ହସ ହସୁଥାନ୍ତି ଓ ଶେଷରେ ସେହିମାନେ ହି ଆତ୍ମହତ୍ୟା ଭଳି ପଥକୁ ବାଛିଥାନ୍ତି ।
ଆମ ସଭିଙ୍କର ଏକ ସାଧାରଣ ଭାବନା ଅଛି ଯେ କାନ୍ଦିବା , ଚିତ୍କାର କରିବା,ପାଟି କରିବା, ଏବ ଏକାକି ରହିବା କୁ ହିଁ ଅବସାଦ କୁହାଯାଏ । କିନ୍ତୁ ବର୍ତ୍ତମାନ ଆମକୁ ଏହାକୁ ଗ୍ରହଣ କରିବାକୁ ହେବ ଯେ ହସୁଥିବା ଚେହେରା ମଧ୍ୟ ଅବସାଦର ଶିକାର ହୋଇପାରେ ଜ୍ଝ ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ଡକ୍ଟର ସମୀର ମଲହୋତ୍ରା (ମାନସିକ ମନସ୍ତତ୍ୱବିତ୍ ଏବଂ ଆଚରଣ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ)ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ।
ଡକ୍ଟର ସମୀର ମଲହୋତ୍ରାଙ୍କ କହିବା ଅନୁ୍ଯାୟୀ ଏହି ଉଦାସୀନତା/ ଡିପ୍ରେସନ ଅନ୍ୟ ପ୍ରକାରଠାରୁ ଭିନ୍ନ, ତେଣୁ ଏହାକୁ ଚିହ୍ନିବା ଟିକେ କଷ୍ଟକର । ତଥାପି, ଏହାର ତିନୋଟି ମୁଖ୍ୟ ଗୁଣ ଅଛି । ପ୍ରଥମେ, ମନ ଭିତରର ଉଦାସୀନତା , ଯେକୌଣସି କାମରେ ଆଗ୍ରହ / ରୁଚିର ଅଭାବ ଏବଂ ଶୀଘ୍ର ଥକ୍କା ଥକ୍କା ଲାଗିବା । ଆପଣ ହୁଏତ ଆପଣଙ୍କର ଦୈନନ୍ଦିନ ଜୀବନରେ ବହୁତ କିଛି କରୁଛନ୍ତି, କିନ୍ତୁ କୌଣସି କାର୍ଯ୍ୟରେ ଆପଣଙ୍କର ରୁଚି ବା ଆଗ୍ରହ ରହୁନାହିଁ । ଏବଂ, ଆପଣ ସର୍ବଦା କ୍ଳାନ୍ତ ଅନୁଭବ କରିବା । ସବୁ କାମକୁ ଅଧାରୁ ଛାଡିଦେବା । ଅନେକ ସମୟରେ ମୁଣ୍ଡ ବିନ୍ଧା ମଧ୍ୟ ସ୍ମାଇଲିଂ ଡିପ୍ରେସନର ଲକ୍ଷଣ ଅଟେ ।
ଡିପ୍ରେସନରେ ଆମ ମସ୍ତିଷ୍କର ସେରୋଟୋନିନ ମାତ୍ରା କମିଯାଏ । ଯାହା ଫଳରେ ଆମେ ନିଜକୁ କମ୍ ବା ଛୋଟ ଭାବନ୍ତି । ଏବଂ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତି । ଅନ୍ୟମାନଙ୍କୁ ଅଦ୍ୟକ ଗୁରୁତ୍ୱ ଦେବାକୁ ଲାଗନ୍ତି ସେମାନେ ସବୁଥିରେ ଆପଣଙ୍କ ତୁଳନାରେ ବହୁତ ଭଲ ବୋଲି ଚିନ୍ତାକରନ୍ତି । ନିଜ ଖରାପ ସମୟକୁ ଭଲଦିନ ଗୁଡିକ ସହ ଯୋଡି ଅଯଥା ଦୁଃଖି ହୁଅନ୍ତ ିଏବଂ ନିଜକୁ ଦୋଷ ଦିଅନ୍ତି ।
ଏସବୁ କ୍ଷେତ୍ରରେ ଆପଣ ନିଜ ଆଖ ପାଖ ଲୋକଙ୍କୁ ମନକଥା ଜଣାଇବାକୁ ଲାଗନ୍ତୁ । ନଚେତ୍ ନିଜକୁ ମୋଟିଭେଟ କରାନ୍ତୁ କି ଆପଣ ବହୁତ ଭଲ ଆଉ ଆଗକୁ ସବୁ ଠିକ୍ ହେବ । ଏହା ଛଡା ଆପଣ ନିଜ ଚିକିତ୍ସା ମନୋସ୍ତ୍ୱବିତ୍ ଡାକ୍ତରଙ୍କ ପାଖରେ କରାଇପାରିବେ । ଏସବୁ ପାଇଁ ଔଷଧ ମଧ୍ୟ ଅଛି । ଆପଣମାନେ ଚାହିଁଲେ ଚିକିତ୍ସିତ ହୋଇ ଔଷଧ ସେବନ କରିପାରିବେ ।