ହକି ବିଶ୍ୱକପ୍ ପାଇଁ ରାଜଧାନୀର ଫମ୍ପା ବ୍ୟବସ୍ଥା : ଖୋଲା ଡ୍ରେନରେ ପଡିଗଲେ ଦକ୍ଷିଣ କୋରିଆ ଫଟୋ ସାମ୍ବାଦିକ
1 min readଭୁବନେଶ୍ୱର : ବିଏମସିର ବାର ବର୍ଷର ତପସ୍ୟ ସୁଖୁଆ ପୋଡାରେ ଗଲା । ଆଜ୍ଞା ହଁ ବିଶ୍ୱ ହକି ପାଇଁ ୩ ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ଯୋଜନାରେ ସ୍ମାର୍ଟସିଟି ବାହରୁ ସଜେଇ ହେଉଥିବା ବେଳେ ଭିତର ପୁରା ଫମ୍ପା ବୋଲି ଜଣାପଡିଛି । ହକି କଭରେଜ୍ ପାଇଁ ଆସିଥିବା ଦକ୍ଷିଣ କୋରିଆ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନରେ ପଡିଯାଇଛନ୍ତି । ଯାହାକି ରାଜ୍ୟ ତଥା ଦେଶ ଭାରତ ପାଇଁ ବର୍ତ୍ତମାନ ଏକ ଲଜ୍ୟାର ବିଷୟ ପାଲଟିଯାଇଛି ।
ଜାନୁଆରୀ ୧୩ ରେ ହେବାକୁଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ରାଜ୍ୟ ସରକାରଙ୍କ ଯୋଜନା କ୍ରମେ ରାଜଧାନୀ ଭୁବନେଶ୍ୱର ଏବଂ ରାଉଲକେଲାକୁ ଚାକଚକ୍ୟ କରାଯାଉଥିଲା । ଏହି ସମୟରେ ରାଜଧାନୀର ରାସ୍ତାକଡ କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ସହ ପୁରା ସହରକୁ ରଙ୍ଗୀନ ଆଲୋକରେ ସଜ୍ଜା ଯାଇଥିଲା । କେବଳ ଏତିକି କାହିଁକି ରାଜଦାନୀର ରାସ୍ତାଗୁଡିକରେ ଥିବା ଖାଲଢିପକୁ ମଧ୍ୟ ପିଚୁ ପକାଇ ମରାମତି କରାଯାଇଥିଲା । ଏପରିକି ସୌନ୍ଦର୍ଯ୍ୟକରଣ ନାଁରେ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ହେଲେ ଏସବୁ ଭିତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହକି ବିଶ୍ୱକପ୍ କଭରେଜ୍ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱର ର ମୁକୁଳା ଡ୍ରେନ୍ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁ୍ଯାୟୀ ବୁଧବାର ରାତିରେ ଡୁମୁଡୁମା ଅଞ୍ଚଳରେ ଚା’ ପିଇବାକୁ ସମ୍ପୃକ୍ତ ଫଟୋ ସାମ୍ବାଦିକ ଯାଇଥିଲେ। ରାସ୍ତାକଡ଼ରେ ଥିବା ଏକ ଚା’ ଦୋକାନୀଙ୍କ ସହ ଫଟୋ ସାମ୍ବାଦିକ ଜଣକ ଫଟୋ ଉଠାଉଥିଲେ। ଏହି ସମୟରେ ସେ ମୁକୁଳା ଡ୍ରେନ୍ରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଆମ୍ବୁଲାନ୍ସ ନଆସିବା ଯୋଗୁ ଏକ କାର୍ରେ ଆହତ ସାମ୍ବାଦିକଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ବର୍ତ୍ତମାନ ରାଜଧାନୀରେ ଜଣେ ଦକ୍ଷିଣ କୋରିଆ ସାମ୍ବାଦିକଙ୍କ ଏପରି ଅବସ୍ଥା ଆଲୋଚନାର ବିଷୟ ପାଲଟିଛି । ଏଠି ପ୍ରଶ୍ନ ଉଠୁଛି ଯେ ଯଦି ସରକାର ୩ ମାସ ପୂର୍ବରୁ ସବୁ ବ୍ୟବସ୍ଥା ଆରମ୍ଭ କରି ତତ୍ପରତା ଦେଖାଇଥିଲେ । ରାସ୍ତାକଡରେ ଆଲୋକ, ଚିତ୍ର , ଉଠାଦୋକାନିଙ୍କୁ ହଟାଇବା ଭଳି ବଡ ବଡ କାର୍ଯ୍ୟ କରିଥିଲେ । ତେବେ ଏପରି ଏକ ଛୋଟ କାର୍ଯ୍ୟ କିଭଳି ତାଙ୍କ ନଜରକୁ ଆସିନଥିଲା । ଗତବର୍ଷ ରାଜଧାନୀର ଡ୍ରେନରେ ପଡି ଜଣେ ୧୧ ବର୍ଷ ସ୍କୁଲ ଛାତ୍ରର ମୃତ୍ୟୁ ହୋଇଥିଲା । କଣ ଏସବୁ ପରେ ବି ସରକାରଙ୍କୁ ଦୃଷ୍ଟିଗୋଚର ହେଉନାହିଁ ଖୋଲା ଡ୍ରେନ ।