ବାଲେଶ୍ଵର ଖନ୍ତାପଡ଼ା ଲୁଟ୍ ଘଟଣାର ପର୍ଦ୍ଦାଫାସ କଲେ ଏସପି ସାଗରିକା ନାଥ!
1 min readବାଲେଶ୍ୱର : ଲୁଟ ଘଟଣାର ହେଲା ପର୍ଦ୍ଦାଫାସ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଞ୍ଜରି ଗାଁରେ କିଛି ଦିନ ତଳେ ଚୋର ବୁଲାଇଥିଲା କଳାକନା । ତେବେ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ଲୁଟ ଘଟଣାରେ ପର୍ଦାଫାଶ କରିଛି ପୋଲିସ । ଚୋରୀ ଘଟଣାରେ ସଂପୃକ୍ତ ଥିବା ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତଠାରୁ ଗୋଟିଏ କେଟିଏମ ଡିୟୁକ ବାଇକ, ୨ ଟି କଳା ପଲସର, ଗୋଟିଏ ଲାପଟପ, ୨ ଟି କିପ୍ୟାଡ ଓ ୪ଟି ସ୍ମାର୍ଟ ଫୋନ, ନଗଦ ୮୦୦୦ ଟଙ୍କା, ଗୋଟିଏ ଛୁରି ଓ ବିଭିନ୍ନ ଅଳଙ୍କାର ଜବତ କରିଛି ପୋଲିସ । ସୂଚନା ମୁତାବକ, ଗତ ଅକ୍ଟୋବର ୨୬ ସନ୍ଧ୍ୟାରେ ଖନ୍ତାପଡା ଥାନା ମଞ୍ଜରି ଗାଁର ଗୌରୀ ଶଙ୍କର ଶତପଥିଙ୍କ ଘରୁ ଲୁଟ ହୋଇଥିଲା । ଛୁରି ଦେଖାଇ ଅଭିଯୁକ୍ତମାନ ପରିବାର ଲୋକଙ୍କ ଠାରୁ ସବୁ ଲୁଟି ନେଇଥିଲେ ।
ଘରେ ପଶି ଆଲମିରାରୁ ସୁନା ଓ ରୁପା ଅଳଙ୍କାର ସହ ମହିଳାଙ୍କ ବେକରୁ ମଧ୍ୟ ସୁନା ଅଳଙ୍କାର ଲୁଟ କରିଥିଲେ । ଏଥିସହିତ ୮ ହଜାର ଟଙ୍କା, ଲାପଟପ ଓ ମୋବାଇଲ ଫୋନ ମଧ୍ୟ ଲୁଟ କରିଥିଲେ ଅଭିଯୁକ୍ତ । ଏହାପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ତେବେ ଅଭିଯୁକ୍ତ ରାଜ୍ୟ ଛାଡି ବେଙ୍ଗାଲୁରୁ ଯିବା ସମୟରେ କଟକ ଷ୍ଟେସନ ନିକଟରୁ ପୋଲିସ ଗିରଫ କରିଛି । ଏହି ଲୁଟରେ ୮ ଜଣ ଅଭିଯୁକ୍ତ ସହ ଜଣେ ଚୋରି ସାମଗ୍ରୀ ନେଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଖନ୍ତାପଡା ଥାନା ପୋଲିସ । ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ।