Pratidin TV

Odisha's Digital News Platform

ମହାକାଶରେ ପହଞ୍ଚିଲା ‘ସ୍ପେଶ୍‌ ଏକ୍ସ ଡ୍ରାଗନ୍’ : ସ୍ୱାଗତ କରିଲେ ସୁନୀତା ଓ ବୁଚ୍ ୱିଲ୍‌ମୋର୍‌..

1 min read

  ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ପ୍ରାୟ ତିନି ମାସ ଧରି ଫସି ରହିଥିବା ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଫେବୃଆରୀରେ ପୃଥିବୀକୁ ଫେରିବେ। ଏଥି ଲାଗି ମହାକାଶ ଅଭିମୁଖେ ଯାତ୍ରା କରିଥିବା ସ୍ପେଶ୍‌ ଏକ୍ସ ଡ୍ରାଗନ୍ କ୍ୟାପସୁଲ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ପହଞ୍ଚିଛି।

ନାସା ଏବଂ ଏଲନ ମସ୍କଙ୍କ ସ୍ପେଶ ଏକ୍ସ କମ୍ପାନୀର ମିଳିତ ସହଯୋଗରେ ଏହି ମହାକାଶ ଯାନ ଆମେରିକାର ଫ୍ଲୋରିଡ଼ାସ୍ଥିତ କେପ୍ କାନେଭେରାଲ ମହାକାଶ କେନ୍ଦ୍ରରୁ ରବିବାର ଉଡ଼ାଣ ଭରିଥିଲା। ଏଥିରେ ୪ ଜଣ ଯାତ୍ରା କରିବାର ସୁବିଧା ରହିଥିଲେ ହେଁ ନାସା ମହାକାଶଚାରୀ ନିକି ହଗ୍ (କମାଣ୍ଡର) ଏବଂ ରୁଷିଆ ମହାକାଶ ଗବେଷଣା ସଂସ୍ଥା ‘ରସକସମସ୍’ ମହାକାଶଚାରୀ ଆଲେକଜାଣ୍ଡର ଗର୍ବୁନଭ ଯାତ୍ରା କରିଛନ୍ତି। ବାକି ଦୁଇଟି ସ୍ଥାନ ସୁନୀତା ଏବଂ ବୁଚ୍ ପାଇଁ ଖାଲି ରଖାଯାଇଛି। ଆଜି ଭାରତୀୟ ସମୟ ଭୋର୍ ୩.୩୦ ମିନିଟରେ ସ୍ପେଶ୍‌ ଏକ୍ସ ଡ୍ରାଗନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିିଛି। ସ୍ପେଶ୍‌ ଏକ୍ସ ଡ୍ରାଗନ କ୍ୟାପସୁଲରେ ଯାଇଥିବା ଏହି ଦୁଇ ମହାକାଶଚାରୀ ୫ ମାସ ଧରି ମହାକାଶ କେନ୍ଦ୍ରରେ ରହି ବିଭିନ୍ନ ବିଷୟରେ ଗବେଷଣା କରିବେ ।

Advertisement

ପରେ ୨୦୨୪ ଫେବୃଆରୀରେ ସେମାନେ ସୁନୀତା ଏବଂ ବୁଚ୍ ୱିଲମୋରଙ୍କୁ ସାଥିରେ ଧରି ଭୂପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି। ନାସାର ଏହି ଅଭିଯାନକୁ ରେସ୍କ୍ୟୁ ମିଶନ ଭାବେ ‘ସ୍ପେସଏକ୍ସ କ୍ରିଉ-୯ ମିଶନ’ ନାମକରଣ କରାଯାଇଛି। ଏହାକୁ ଗତ ୨୪ ତାରିଖରେ ମହାକାଶକୁ ପଠାଇବା ଲାଗି ଯୋଜନା କରାଯାଇଥିଲା। କିନ୍ତୁ ପ୍ରତିକୂଳ ପାଗକୁ ନେଇ ଏହାର ଯାତ୍ରା ସମୟ ପରିବର୍ତ୍ତନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ ମାସରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ମାତ୍ର ୮ ଦିନ ପାଇଁ ବୋଇଂ ଷ୍ଟାରଲାଇନର କ୍ୟାପସୁଲ ଯୋଗେ ମହାକାଶକୁ ଯାଇଥିଲେ। ସେମାନେ ଜୁନ ୧୩ ସୁଦ୍ଧା ଭୂପୃଷ୍ଠକୁ ଫେରି ଆସିବା କାର୍ଯ୍ୟକ୍ରମ ରହିଥିଲେ ହେଁ ଷ୍ଟାରଲାଇନର ଥ୍ରଷ୍ଟର୍ରେ ଯାନ୍ତ୍ରିକ ସମସ୍ୟା ଯୋଗୁ ସେମାନେ ଫେରି ପାଣି ନଥିଲେ। ସେବେ ଠାରୁ ଏହି ଦୁଇ ମହାକାଶଚାରୀ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହିଛନ୍ତି।

Leave a Reply

Your email address will not be published. Required fields are marked *