Pratidin TV

Odisha's Digital News Platform

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର : ୨୦୨୧ ତୁଳନାରେ ୨୨ ରେ ବଢିଛି ୧୪.୬୫% ଅଧିକ ଅପରାଧ ..

1 min read

ଭୁବନେଶ୍ୱର : ପ୍ରକାଶ ପାଇଲା ୨୦୨୨ର ଗୃହ ବିଭାଗର ଶ୍ୱେତପତ୍ର। ୨୦୨୧ ତୁଳନାରେ ୨୨ରେ ବଢିଛି ୧୪.୬୫% ଅଧିକ ଅପରାଧ। ୧୨ ପୃଷ୍ଠାର ଏହି ଶ୍ୱେତପତ୍ରରେ ରାଜ୍ୟର ଅପରାଧ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି, ଶିଳ୍ପ ବାତାବରଣର ସାମଗ୍ରିକ ଚିତ୍ର ଦିଆଯାଇଛି । ଧର୍ତ୍ତବ୍ୟ ଅପରାଧ ୧ଲକ୍ଷ ୫୫ହଜାର ୪୨୦ଟି ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି । ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ଅଧିକ ୨୨୭୭୦ଟି ଅଧିକ ଅପରାଧ ସଂଘଟିତ ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୨ ମସିହାର ଶ୍ୱେତପତ୍ରରେ ଦର୍ଶାଯାଇଛି ।

୧ -ଅପରାଧ
୨୦୨୨ ମସିହାରେ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ୨୦୨୧ ତୁଳନାରେ ୨୦୨୨ରେ ଅପରାଧ ୧୫ ପ୍ରତିଶତ ବଢିଛି ।

Advertisement

ତଥ୍ଯ ଆଧାରରେ

  • ୩୧୮୪ଟି ଦୁଷ୍କର୍ମ,
  • ୧୧,୬୬୩ ମୋଟର ଯାନ ଦୁର୍ଘଟଣା
  • ୧୩୭୯ ହତ୍ୟା ମାମଲା ରହିଛି
  • ୬୨୬ ଡକାୟତି
  • ୨୯୯୮ ଲୁଣ୍ଠନ
  • ୫୪୬୭ ସିନ୍ଧି ଚୋରିର
  • ୨୨ ୪୮ ଦଙ୍ଗା ମାମଲା ରୁଜୁ
  • ୧୪୮୯୩ଟି ଚୋରି
  • ୫୩୫୨ଟି ପ୍ରତାରଣା
  • ୧୩୦୩୮୦ଟି ବିବିଧ ମାମଲା ସାମିଲ ଅଛି

୨୦୨୨ରେ ମୋଟ ରୁଜୁ ହୋଇଥିବା ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧୩୫ଟି ମାମଲାରେ ସତ୍ୟତା ରହିଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି ।ବର୍ଷ ଶେଷ ସୁଦ୍ଧା ୨୨୩୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ୧୧, ୬୬୩ଟି ମୋଟରଯାନ ଦୁର୍ଘଟଣା ମାମଲା ମଧ୍ୟରୁ ୧୧, ୫୬୧ଟି ମାମଲାରେ ସତ୍ୟତା ରହିଥିବା ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି।
ଶ୍ୱେତପତ୍ର ଅନୁସାରେ, ୧୩୭୯ ହତ୍ୟା ମାମଲା ରୁଜୁ ହୋଇଛି । ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ୨୦୨୨ ମସିହାରେ ରାଜ୍ୟରେ ୨୨ ୪୮ ଦଙ୍ଗା ମାମଲା ରୁଜୁ ହୋଇଛି । ଆଉ ବର୍ଷ ଶେଷ ସୁଦ୍ଧା ୧୩୬୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟରୁ ୧ ଲକ୍ଷ ୬୯ ହଜାର ୭୩୫ ମାମଲା ସତ ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି ।

୨ -ପୁଲିସର ଗୁଳି ଚାଳନା
@ ୨୦୨୨ ମସିହାରେ ପୁଲିସ ତରଫରୁ ୧୪ଥର ଗୁଳି ଚାଳନା କରାଯାଇଛି । ୨୦୨୨ ମସିହାରେ ରାଜନୀତିକ ଦଳ ଓ ସେମାନଙ୍କ ସଂଗଠନ ପକ୍ଷରୁ ବିଭିନ୍ନ କାରଣ ଦର୍ଶାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୨୯୪ଥର ରାସ୍ତାରୋକ, ୧୮ଥର ରେଳରୋକ, ୧୪୦୩ଥର ଧାରଣା, ୬୮୪ଥର ରାଲି, ୧୪୭୭ଥର ବିକ୍ଷୋଭ, ୬୩ଥର ଅନଶନ, ୪୯ଥର ବନ୍ଦ ଓ ୭୦ଥର ଘେରାଉ କରାଯାଇଥିଲା । ତେବେ ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସିଠାରେ ବିଶେଷ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି ।

୩ -ଯୌତୁକଜନିତ ହତ୍ୟା
@ ୨୦୨୨ ମସିହାରେ ୨୬୩ଟି ଯୌତୁକଜନିତ ହତ୍ୟା ମାମଲା, ୧୦୬ଟି ଯୌତୁକଜନିତ ଆତ୍ମହତ୍ୟା ମାମଲା, ୪୮୫୯ଟି ଯୌତୁକ ନିର୍ଯାତନା, ୭୦ଟି ମାନବ ଚୋରାଚାଲାଣ, ୧୯୮୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା । ସେହିପରି ଅନୁସୂଚିତ ଜାତିଙ୍କ ଉପରେ ଅତ୍ୟାଚାରର ୨୮୯୮ଟି ମାମଲା, ଜନଜାତିଙ୍କ ଉପରେ ଅତ୍ୟାଚାରର ୮୦୬ଟି ମାମଲା ରୁଜୁ ହୋଇଛି । ତେବେ ନାଗରିକ ଅଧିକାର ସଂରକ୍ଷଣ ମାମଲା ସମ୍ପର୍କିତ କୌଣସି ମକଦ୍ଦମା ରୁଜୁ ହୋଇନି ।

୪ -ନକଲି ଟଙ୍କା
@ ୨୦୨୨ ମସିହାରେ ଭୁବନେଶ୍ୱରରେ ନକଲି ଟଙ୍କା କାରବାର କରୁଥିବା ୫ଜଣ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୭.୪୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଥିଲା ।

୫- ମାଓବାଦୀ
୨୦୨୨ ମସିହାରେ ମାଓବାଦୀ ଗିତିବିଧିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ମ ିଳିଛି । ଏହି ବର୍ଷ ମାଓବାଦୀଙ୍କ ସହ ସଂଗଠିତ ୧୨ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ ୨୭ଟି ମାଓବାଦୀ ହିଂସା ଘଟଣା ଘଟିଥିଲା । ଏସବୁ ଘଟଣାରେ ମୋଟ ୩ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ୮ଜଣ ସାଧାରଣ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଥିଲା । ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୭ଜଣ କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲେ । ୧୨ଜଣ ମାଓବାଦୀ ଗିରଫ ଓ ୩ଜଣ ଆତ୍ମସମର୍ପଣ କରିଥିଲେ । ମାଓବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନବେଳେ ମୋଟ ୨୯ଟି ବନ୍ଧୁକ, ୮୭ଟି ଉନ୍ନତ ବିସ୍ଫୋରକ ଓ ବହୁ ପରିମାଣର ଗୁଳିଗୋଳା, ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ‘ଅପରେସନ୍ ଘର ୱାପସି’ ଯୋଗୁ ମାଓବାଦୀ ପ୍ରଭାବିତ ଅଂଚଳରୁ ପ୍ରାୟ ୩ହଜାରରୁ ଅଧିକ ମିଲେସିଆ ଓ ସମର୍ଥକ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।

୬- ମାଦକ ଦ୍ରବ୍ୟ
୨୦୨୨ ମସିହାରେ ମାଦକ ଦ୍ରବ୍ୟ ନିରୋଧ ଆଇନରେ ୧୮୯୨ଟି ମାମଲା ପଞ୍ଜିକୃତ କରି ରାଜ୍ୟ ପୁଲିସ ୨୬୦୩ଜଣଙ୍କୁ ଗିରଫ କରିଥିଲା । ଏହାସହିତ ୧୧୭୨ କ୍ୱିଣ୍ଟାଲ ୮୯ କିଲୋ ଗଞ୍ଜେଇ ଓ ୫୦କିଲୋ ୨୩୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

ତେବେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧,୭୮,୧୯୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧,୬୯,୭୩୫ଟି ମାମଲା ସତ ହୋଇଥିଲାବେଳେ ସେଥିରୁ ବର୍ଷ ଶେଷସୁଦ୍ଧା ମୋଟ ୧,୧୮,୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଅର୍ଥାତ୍ ୫୧,୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି ।ମୋଟ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ଆଉ ୫୧ ହଜାର ୧୮୮ଟି ମାମଲାରେ ପୁଲିସ ଚାର୍ଜସିଟ ଦାଖଲ କରିପାରିନାହିଁ । ସେହିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଶ୍ୱେତପତ୍ରରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *