ପୁଣି ପଥର ନେଲା ୨ ଶ୍ରମିକଙ୍କ ଜୀବନ , ବାପାଙ୍କ ଋଣ ସୁଝିବାକୁ ଯାଇ ଫେରିପାରିଲେନି ପୁଅ …..
1 min readଗଞ୍ଜାମ : ପୁଣି ପଥର ଖସି ଚାଲିଗଲା ଜୀବନ । ଗତକାଲି ଅନୁଗୁଳରେ ପଥର ବ୍ଲାଷ୍ଟ ପରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜୀବନ ଯାଇଛି ଜୀବନ । ଖବର ଅନୁଯାୟୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ଗ୍ରାମର ନାରାୟଣ ନାହାକ (୪୨)ଓ ମଧୁରଚୁଆ ଗ୍ରାମର ବିଷ୍ଣୁ ନାୟକ (୨୪) ଙ୍କ ପଥର ରେ ଚାପି ହୋଇ ମୃତ୍ୟୁ ଘଟଣା କୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଦୁଇ ଶ୍ରମଜୀବୀ ସମ୍ପର୍କରେ ମାମୁଁ ଭଣଜା । ଉଭୟ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମ ନିକଟସ୍ଥ ପଥରକୁଆଁରୀ ରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ଟା ବେଳେ ପଥରରେ ଚାପି ହୋଇ ଉଭୟ ଙ୍କ ମୃତ୍ୟୁ ହୋଇଥିଲା ।
ଯାହାକୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶୁକ୍ରବାର ରାତି ୯ ଟା ବେଳେ ଏହି ଦୁଃଖଦ ଘଟଣା ଗ୍ରାମରେ ପହଞ୍ଚିବା ପରେ ଉଭୟ ଗ୍ରାମରେ ଆତ୍ମିୟ ସ୍ୱଜନ ମଧ୍ୟରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା । ଫଳରେ ଉଭୟ ଗ୍ରାମର ୮୦ପ୍ରତିଶତ ଘରେ ଚୁଲି ଜାଳିନଥିବା ଲକ୍ଷ କରାଯାଇଛି । ନାରାୟଣ ପୂର୍ବରୁ ଗୁଜରାଟ ରାଜ୍ୟରେ ଦାଦାନ ଖଟୁଥିବା ବେଳେ ପ୍ରାୟ ୮ମାସ ହେଲା ସେ ଜୈନିକ ବନ୍ଧୁଙ୍କ ସହଯୋଗରେ ମୋହନା ଅଞ୍ଚଳରେ ପଥର କୁଆଁରୀ ରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରିଆସୁଥିଲେ ।
ସେହିପରି ବିଷ୍ଣୁ ନାୟକ କିଛି ବର୍ଷ ତଳେ ନିଜର ଭଉଣୀ ବିବାହ ପାଇଁ ଶସ୍ୟକ୍ଷେତ୍ର କୁ ବିକ୍ରି କରିଦିଆଯାଇଥିଲା । ତଥାପି ଋଣଭାରରେ ପରିବାର ବୁଡି ରହିବା ଯୋଗୁଁ ସେ ବାଧ୍ୟ ହୋଇ ମାମୁଁ ଙ୍କ ସହ ପଥର କୁଆଁରୀ ରେ ଖଟିବା ପାଇଁ ଗଜପତି ଜିଲ୍ଲା କୁ ଯାଇଥିଲେ । ବାପା ଓ ମା ମଧ୍ୟ ଗ୍ରାମରେ ମୁଲଲାଗି ଚଳୁଥିବା ବେଳେ ବାପା ମା ଙ୍କ ନିକଟରେ ସାନ ଭାଇ ରହୁଥିଲେ । ସାନ ଭାଇ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଦୁଇଭାଇ ଅବିବାହିତ ରହିଥିବା ବେଳେ ବିଷ୍ଣୁ କରଜ ଅର୍ଥ ପରିଶୋଧ କରିବା ନେଇ ଅନ୍ୟଜିଲ୍ଲାରେ ଶ୍ରମଜୀବୀ ଭାବେ କାର୍ଯ୍ୟକରିବା ପାଇଁ ଯିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ସୁଧା ଉଭୟ ଶ୍ରମଜୀବୀ ପଥର ତଳେ ଚାପି ହୋଇ ରହିଥିବା ଯୋଗୁଁ ଗଜପତି ଜିଲ୍ଲା ପ୍ରଶାସନ ଉଭୟ ଶ୍ରମଜୀବୀ ଙ୍କ ଶବ ଉଦ୍ଧାର କରିବା ଓ ଉଭୟ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବୀ କରିଛନ୍ତି ।