Pratidin TV

Odisha's Digital News Platform

ପରୀକ୍ଷା ଦେଉଥିବା ବେଳେ ହଠାତ୍ ବିଗିଡିଲା ସ୍ୱାସ୍ଥ୍ୟ , ଆଖିବୁଜିଲେ ଦଶମ ଶ୍ରେଣୀ ଛାତ୍ର..

1 min read

କୋରାପୁଟ୍ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରିଚାଳିତ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା କୁନା ପୁଜାରୀ ନାମକ ଜନୈକ ପରୀକ୍ଷାର୍ଥୀ ମୃତ୍ୟୁ ବରଣ କରିବା ଭଳି ଏକ ଅଭାବନୀୟ ଘଟଣା ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ।

ଖବର ନେବାରେ ଜଣାପଡିଛି ଯେ, ଗୁରୁବାର ଦିନ ସାଧାରଣ ବିଜ୍ଞାନ ପରୀକ୍ଷା ପାଇଁ ସବୁ ପିଲାଙ୍କ ଭଳି କୁନା ମଧ୍ୟ ସ୍ଵାଭାବିକ ଭାବେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ପରୀକ୍ଷା ଦେଉଥିଲା । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ କୁନା ହଠାତ୍ ମୂର୍ଚ୍ଛା ହୋଇଯିବାରୁ ହଲରେ ଥିବା ପରିଦର୍ଶକ ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ସ୍ଥିତି ସଙ୍କଟାପନ୍ନ ହେବାରୁ ପରୀକ୍ଷା କେନ୍ଦ୍ରର ସୂପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶ କ୍ରମେ ପିଲାଟିକୁ ତୁରନ୍ତ ନାଲକୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଥିଲା ।

Advertisement

ତେବେ ପିଲାଟିର ମୁର୍ଚ୍ଛା ରୋଗ ଥିବା ଓ ଏହା ପୂର୍ବରୁ ଅନେକ ଥର ଏହି ରୋଗରେ ମୂର୍ଚ୍ଛିତ ହୋଇଥିବା ମୃତକର ବାପା ରାମ ପୁଜାରୀ କହିଛନ୍ତି । ଖବର ପାଇ ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ପଠାଇଛନ୍ତି । ମୃତ ଛାତ୍ର ଜଣକ ମାଥାଲପୁଟ ସ୍ଥିତ ମାଲୁସାନ୍ତା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର । ଏହି ଘଟଣା ସମ୍ପର୍କରେ ପରୀକ୍ଷା କେନ୍ଦ୍ର ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଯୋଗୁଁ ଦାମନଯୋଡିରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *