ଆଜିଠୁ ସୁଭଦ୍ରା ଯୋଜନା ଆବେଦନ , ଜାଣନ୍ତୁ କେଉଁଠି ଓ କେମିତିି କରିବେ ?
1 min readଭୁବନେଶ୍ୱର ; ଆଜିଠୁ ଆରମ୍ଭ ହେଲା ସୁଭଦ୍ର ଯୋଜନା ପାଇଁ ପଞ୍ଜିକରଣ । ସରକାରଙ୍କ ତରଫରୁ ଏ ସମସ୍ତ ପକ୍ରିୟା ମାଗଣାରେ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଗତକାଲି ସୋଶାଲ୍ ମିଡ଼ିଆରେ ଲାଇଭରେ ଆସି ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଫର୍ମ ଉପଲବ୍ଧ ହୋଇଥିବାବେଳେ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଆଉ ଏ ସମସ୍ତ ପକ୍ରିୟା ଦେୟ ମୁକ୍ତ ହେବ ।
ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବାକେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ତେବେ ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ।
ବର୍ଷକୁ ୨ଟି ଲେଖା କିସ୍ତିରେ ୫ ବର୍ଷ ଭିତରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦେବେ ମୋହନ ସରକାର । ତେବେ ୨୧ ରୁ ୬୦ ବର୍ଷର ମହିଳା ଏହି ଯୋଜନାରେ ଉପକୃତ ହେବେ । ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାଁରେ ଆଧାର କାର୍ଡ କିମ୍ବା ନମ୍ବର ଥିବା ଏକାନ୍ତ ଆବଶ୍ୟକ। ଏହା ସହ ଆଧାର କାର୍ଡ ସହିତ ନିଜର କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଥିବା ଜରୁରୀ। ହିତାଧିକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।