ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ..
1 min readସରିଲା ୬ ମାସ ଛୁଟି। କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଉ ୬ ମାସ ଛୁଟି ଆବେଦନ କରିଥିଲେ ସୁଜାତା କାର୍ତ୍ତିକେୟନ। ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନକୁ ସରକାର ଅଗ୍ରାହ୍ୟ କରିଥିଲେ। କାଲିଠାରୁ ଚାକିରିରେ ଯୋଗ ଦେବାକୁ ସୁଜାତାଙ୍କୁ ପରାମର୍ଶ ଦେଇଥିଲେ ସରକାର।
ସୂଚନାଯୋଗ୍ୟ, ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଥିଲେ ସୁଜାତା। ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ସୁଜାତା ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ, ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି। ସୁଜାତା ନଭେମ୍ବର ୨୭ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ। ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନଥିବା ନେଇ ସୁଜାତାଙ୍କୁ ଲିଖିତ ଭାବେ ମହାନ୍ତି ସ୍ପଷ୍ଟ କରିବା ସହ ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ।ଏହାପରେ ୬ମାସିଆ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ ।