ମହାକାଶରେ ରହି ଧୈର୍ଯ୍ୟହରା ହୋଇପଡିଲେଣି ସୁନିତା !
1 min readଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ମହାକାଶରେ ଅଟକି ରହିଛନ୍ତି। ମହାକାଶରୁ ପୃଥିବୀକୁ ଫେରିବା ପାଇଁ ବ୍ୟବହୃତ କ୍ୟାପସୁଲ୍ରେ କେତେକ ତ୍ରୁଟି ଥିବାରୁ ସେ ପୃଥିବୀକୁ ଫେରିପାରୁ ନାହାନ୍ତି। ତାଙ୍କ ସହ ବଚ୍ ୱିଲମୋର ଜୁନ୍ ୫ରେ ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ମହାକାଶକୁ ଯାଇଥିଲେ। ସେବେଠାରୁ ସେ ମହାକାଶରେ ଅଟକି ରହିଛନ୍ତି। ତାଙ୍କର ପ୍ରାରମ୍ଭିକ ମିଶନ ୮ ଦିନ ଧରି ଚାଲିଥିଲା, କିନ୍ତୁ ମହାକାଶଯାନରେ ତ୍ରୁଟି ଥିବାରୁ ସେ ଫେରିପାରୁ ନାହାନ୍ତି।ମାତ୍ର ୮ ଦିନ ପାଇଁ ମହାକାଶ ଯାତ୍ରାରେ ଯାଇଥିବା ଏହି ଦୁଇ ମହାକାଶଚାରୀ ଏବେ ସୁଦ୍ଧା ଦୁଇ ମାସ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନରେ ବିତାଇ ସାରିଛନ୍ତି। ଏହାସହ ତାଙ୍କର ପୃଥିବୀ ଫେରିବା ନେଇ ଅନିଶ୍ଚିତତା ଲାଗି ରହିଛି ।
ଏହି ଦୁଇ ମହାକାଶଚାରୀ ଏବେ ସୁଦ୍ଧା ଦୁଇ ମାସ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନରେ ବିତାଇ ସାରିଛନ୍ତି। ତେବେ ସେମାନଙ୍କୁ ପୃଥିବୀ ପୃଷ୍ଠକୁ ଫେରିବା ଲାଗି ଆହୁରି ୬ ମାସ ଲାଗିବ ବୋଲି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।ଏହି ଦୁଇ ମହାକାଶଚାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନିତା ୱିଲିୟମ୍ସ । ସୁନିତା ତାଙ୍କ ସହଯୋଗୀ ବୁଚ୍ ୱାଲମୋର ଗତ ଜୁନ ୫ ତାରିଖରେ ଆମେରିକାର ଫ୍ଲୋରିଡ଼ା ମହାକାଶ ଉତ୍କ୍ଷେପଣା କେନ୍ଦ୍ରରୁ ଯାତ୍ରା ଆରମ୍ଭ କରିଥିଲେ। ମହାକାଶ କେନ୍ଦ୍ରରେ ୮ ଦିନ ରହି ସେମାନେ ବିଭିନ୍ନ ବିଷୟରେ ଗବେଷଣା କରିବାର ଲକ୍ଷ୍ୟ ରଖାଯାଇଥିଲା। ଏହିକ୍ରମରେ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଏବଂ ବୋଇଙ୍ଗ କମ୍ପାନୀର ମିଳିତ ଉଦ୍ୟମରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବୋଇଙ୍ଗ ଷ୍ଟାରଲାଇନର୍ ମହାକାଶ ଯାନରେ ସେମାନେ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲେ । ପୃଥିବୀ ପୃଷ୍ଠରୁ ପ୍ରାୟ ୪୦୦ କିମି ଉପରେ ଶୂନ୍ୟରେ ପ୍ରତିଷ୍ଠା କରାଯାଇଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବା ଆଇଏସ୍ଏସ୍ରେ ଏହି ଯାନ ଠିକଣା ସମୟରେ ଅବତରଣ କରିଥିଲେ ହେଁ ଏଥିରୁ ହିଲିୟମ୍ ଗ୍ୟାସ୍ ଲିକ୍ କରୁଥିବା ଜଣାପଡ଼ିଥିଲା। ତେବେ ଏହା ସେଭଳି କୌଣସି ତ୍ରୁଟି ନୁହେଁ ଏବଂ ଏହାକୁ ପରବର୍ତ୍ତୀ ସମୟରେ ଠିକ୍ କରି ଦିଆଯାଇପାରିବ ବୋଲି ବୈଜ୍ଞାନିକମାନେ ଆକଳନ କରି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯାନର ୪ଟି ଥ୍ରଷ୍ଟ ପଏଣ୍ଟ କାର୍ଯ୍ୟ କରୁ ନଥିବା ଜଣାପଡ଼ିଥିଲା। ତଥାପି ବୈଜ୍ଞାନିକମାନେ ଚିନ୍ତିତ ନଥିଲେ ଏବଂ ଏହାକୁ ଠିକ୍ କରି ଦିଆଯିବ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ମହାକାଶ ଯାନର ଅନ୍ୟ ପଏଣ୍ଟରୁ ହିଲିୟମ ଗ୍ୟାସ୍ ନିର୍ଗତ ହେବା ଆଉ ଏକ ଚିନ୍ତାର କାରଣ ହୋଇଥିଲା। ଯାହାକୁ ନେଇ ସୁନିତା ଏବଂ ବୁଚ୍ଙ୍କ ପୃଥିବୀ ପୃଷ୍ଠକୁ ଫେରି ଆସିବା ସମୟ ବଢି ବଢି ଚାଲିଥିଲା।
ବର୍ତ୍ତମାନ ସୁଦ୍ଧା ଏହିସବୁ ତ୍ରୁଟି ଠିକ୍ କରାଯାଇପାରି ନଥିଲା ବେଳେ ସେମାନେ ମହାକାଶରେ ଦୁଇ ମାସରୁ ଅଧିକ ସମୟ ବିତାଇ ସାରିଛନ୍ତି। ଏହାମଧ୍ୟରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସୃଷ୍ଟି ହୋଇଥିବା ଆଉ ଏକ ସମସ୍ୟାକୁ ନେଇ ପୁଣି ଚିନ୍ତା ବଢିଛି। ମହାକାଶକୁ ଯାଇଥିବା ଚୀନ୍ର ଏକ ରକେଟ୍ ବିସ୍ଫୋରଣ ହେବାରୁ ଏହାର ଭଗ୍ନାଂଶ ଆଇଏସଆଇଏସ୍ ପାଇଁ ବିପଦର କାରଣ ପାଲଟିଛି। ଏହି ଭଗ୍ନାଂଶ ଯଦି କୌଣସି ମହାକାଶ ଯାନ ସଂସ୍ପର୍ଶରେ ଆସେ ତେବେ ବଡ଼ ଅଘଟଣକୁ ଏଡାଇ ଦିଆଯାଇପାରିବନି। ଯାହାକୁ ନେଇ ସୁନିତା ଏବଂ ବୁଚ୍ଙ୍କ ପ୍ରତ୍ୟାବର୍ତ୍ତନ ସମୟ ୨୦୨୫ ଫେବୃଆରୀକୁ ବଢିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ନାସା ବୈଜ୍ଞାନିକମାନେ ଷ୍ଟାରଲାଇନରର ତ୍ରୁଟି ସୁଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ଏବଂ ଯଥାସମ୍ଭବ ଏହି ଦୁଇ ମହାକାଶଚାରୀଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଲାଗି ଉଦ୍ୟମ କରୁଛନ୍ତି। କିନ୍ତୁ ମାତ୍ର ୮ ଦିନର ପ୍ରସ୍ତୁତି ନେଇ ଯାଇଥିବା ସୁନିତା ଏବଂ ବୁଚ୍ ଦୀର୍ଘ ବିଳମ୍ବ ପାଇଁ ଧୈର୍ଯ୍ୟ ହରାଇବାର ଆଶଙ୍କା ବଢିଛି। ଏହାବ୍ୟତୀତ ଦୀର୍ଘ ଦିନ ଧରି ମହାକାଶରେ ରହିଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଭିନ୍ନ ଦିଗରୁ ବିଗଡ଼ିପାରେ ବୋଲି ମଧ୍ୟ ଆଶଙ୍କା ବଢିଛି। ଯଦିଓ ବର୍ତ୍ତମାନ ସୁଦ୍ଧା ନାସା ସହିତ ସେମାନଙ୍କ ନିୟମିତ ସମ୍ପର୍କ ରହିଛି ତଥାପି ସମ୍ଭାବ୍ୟ ବିପଦକୁ ଏଡାଇ ଦିଆଯାଇପାରୁନି। ଅବଶ୍ୟ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଲାଗି ବିକଳ୍ପ ରହିଛି। ସେମାନେ ଚାହିଁଲେ ଆଇଏସଏସରେ ରହିଥିବା ରୁଷ କିମ୍ବା ଚାଇନା ମହାକାଶ ଯାନରେ ପୃଥିବୀ ପୃଷ୍ଠକୁ ଫେରି ଆସିପାରିବେ।