Pratidin TV

Odisha's Digital News Platform

ଭୟଙ୍କର ଦୁର୍ଘଟଣା ; ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ , ଘଟଣାସ୍ଥଳରେ ହୋମଗାର୍ଡ ମୃତ…

ଉଦଳା ; ଆଖି ସାମ୍ନାରେ ଭୟଙ୍କର ଦୁର୍ଘଟଣା । ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଯାହାଫଳରେ ୩ ରାଉଣ୍ଡ ଓଲଟିଲା ପୋଲିସ ଗାଡି। ଗାଡି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଅନ୍ୟପଟେ ଆଇଆଇସି ଓ ପୋଲିସ ଡ୍ରାଇଭର ଅବସ୍ଥା ସଂକଟାପନ୍ନ। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ରାଜ୍ୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପେଟ୍ରୋଲିଙ୍ଗ ଏବଂ ଚେକିଂ କରୁଥିଲେ।

ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗାଡି ଛିଡା କରି ବାଇକରେ ଯାଉଥିବା ଯୁବକଙ୍କ ତନଖି ନିମନ୍ତେ ଅନ୍ୟ କର୍ମଚାରୀ ଓହ୍ଲାଇଥିବା ବେଳେ ହଠାତ ବାରିପଦାରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ପୋଲିସ ଗାଡିକୁ ଦ୍ରୁତ ବେଗରେ ଧକ୍କା ଦେଇଥିଲା। କେବଳ ସେତିକି ନୁହେଁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ପୋଲିସ ଗାଡିଟି ୩ ରାଉଣ୍ଡ ଓଲଟି ଥିଲା ଏବଂ ତ।ପରେ ମଧ୍ୟ ୧୦୮ ଆମ୍ବୁଲାନ୍ସଟି ପୋଲିସ ଗାଡିକୁ ଘୋଷାରି ନେଇଥିଲା। ପୋଲିସ ଗାଡି ଓଲଟିବା ଫଳରେ ଗାଡ଼ିରେ ଥିବା ଉଦଳା ଆଇଆଇସି ବନମାଳୀ ବାରିକ, ଡ୍ରାଇଭର ସଦାନନ୍ଦ ସିଂ ଗାଡି ଭିତରେ ଗୁରୁତର ହୋଇଥିଲେ। ଅନ୍ୟପଟେ ଗାଡି ଭିତରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତ ପୋଲିସ ଗାଡି ତଳେ ଚାପି ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୦୮ ଆମ୍ବୁଲାନ୍ସର ହେଲ୍ପର ହେମନ୍ତ ନାଏକ, ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି। ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି।

ଖବର ପାଇ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୋଲିସ ଗାଡି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳୀ ବାରିକଙ୍କ ଅବସ୍ଥା ବିପଦସଂକୁଳ ରହିଥିବାରୁ ସେମାନଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରାଯାଇଛି। ପୋଲିସ ଗାଡି କୁ ଦେଖିଲେ ଦୁର୍ଘଟଣା ଯେ କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ବାରି ହୋଇ ପଡୁଛି। ଦୁର୍ଘଟଣାରେ ପୋଲିସ ଗାଡି ଏବଂ ୧୦୮ ଉଭୟ ଚୁରମାର ହୋଇଛି। ଖବର ପାଇଁ ଏସଡିପିଓ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୁରା ଘଟଣା ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *