Pratidin TV

Odisha's Digital News Platform

ପ୍ରେମିକା ଉପରେ କାର ଚଢାଇଦେଲା ଅଫିସରର ପୁଅ, ଅଭିଯୁକ୍ତଙ୍କୁ ଗିରଫ ନକରିବାକୁ ପୋଲିସ ଉପରେ ପଡୁଛି ଚାପ…

ସ୍ତ୍ରୀ ଉପସ୍ଥିତିରେ ପ୍ରେମିକାକୁ ଡାକି କାର ଚଢାଇଦେଲା ଅଫିସରର ପୁଅ । ବର୍ତ୍ତମାନ ହସ୍ପିଟାଲ ବେଡରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପ୍ରେମିକା । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ହୃଦୟ ବିଦାରକ ମାମଲା । ମହାରାଷ୍ଟ୍ରର ଏମଏସଆରଡିସିର ପରିଚାଳନା ନିର୍ଦ୍ଦେଶକଙ୍କ ପୁଅ ତାଙ୍କ ପ୍ରେମିକାଙ୍କୁ ଏକ ଏସୟୁଭି କାରରେ ଧକ୍କା ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ ଏବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସହାସ ପାଉନି । ସେପଟେ ଯୁବତୀ ଜଣକ ତାଙ୍କ ପ୍ରେମିକ ଅଶ୍ୱଜିତ୍ ଗାଇକୱାଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ପୋଲିସ ନିକଟରେ ମାମଲା ଦାୟର କରିଛନ୍ତି । ଘଟଣାର ତଦନ୍ତ ବେଳେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ନୋଟିସ ପଠାଇଛି । ପଚରାଉଚରା ପାଇଁ ଥାନାରେ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ଏହି ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ସୂଚନା ରହିଛି ।

ଖବର ମୁତାବକ ଥାନେ ବାସିନ୍ଦା ଅଶ୍ୱଜିତ୍ ଗାଇକୱାଡ ଏବଂ ପ୍ରିୟା ସିଂ ଗତ ସାଢେ ଚାରି ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । କିଛି ଦିନ ପୂର୍ବରୁ ପ୍ରିୟା ସିଂ ଜାଣିବାକୁ ପାଇଲେ ଯେ ଅଶ୍ୱଜିତ ପୂର୍ବରୁ ବିବାହିତ । ଏହା ଜାଣିବା ସତ୍ତ୍ୱ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ଜାରି ରହିଥିଲା । ଗତ ସୋମବାର ବିଳମ୍ବିତ ରାତିରେ ପ୍ରିୟା ସିଂ ଥାନାର ଗୋଡବନ୍ଦର ଅଞ୍ଚଳରେ ଅବସ୍ଥିତ ଏକ ହୋଟେଲ ନିକଟରେ ତାଙ୍କ ପ୍ରେମିକ ଅଶ୍ୱଜିତ୍‌ଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ସେଠାରେ ଅଶ୍ୱଜିତ୍ ତାଙ୍କ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ । ଏହାଦେଖି ପ୍ରେମିକା ପ୍ରିୟା ସିଂଙ୍କର କ୍ରୋଧ ବଢିଯାଇଥିଲା । ଯାହାଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଅଶ୍ୱଜିତ, ତାଙ୍କ ସାଙ୍ଗ ସହ ମିଶି ପ୍ରିୟା ସିଂଙ୍କୁ ନିର୍ଦ୍ଧୁମ ପିଟିବା ସହ କାର ଚଢାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଦୁର୍ଘଟଣାରେ ପୀଡିତା ଗୁରୁତର ଆହତ ହୋଇଥିଲେ । ତାଙ୍କର ଗୋଡର ଗୋଟିଏ ହାଡ ମଧ୍ୟ ଭାଙ୍ଗି ଯାଇଛି । ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହା ପରେ ପୀଡିତା ଜଣକ ଅଭିଯୁକ୍ତ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କସରଭୱାଲୀ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ହେଲେ ଉଚ୍ଚ ପଦାଧିକାରୀଙ୍କ ଚାପ ଯୋଗୁଁ ପୋଲିସ ଏହି ମାମଲା ପଞ୍ଜିକରଣ କରିନଥିଲା । ଏହା ପରେ ପୀଡିତା ସେଠାରୁ ଚାଲିଯାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ପୀଡିତା ଲେଖିଛନ୍ତି ଯେ ଅଭିଯୁକ୍ତ ଅଶ୍ୱଜିତ୍ ଗାଇକୱାଡଙ୍କର ଅନେକ ନେତାଙ୍କ ସହ ଗଭୀର ସମ୍ପର୍କ ରହିଛି । ତାଙ୍କ ପିତା ଅନିଲ କୁମାର ଗାଇକୱାଡ ଏମଏସଆରଡିସିର ପରିଚାଳନା ନିର୍ଦ୍ଦେଶକ, ଯେଉଁଥିପାଇଁ ପୋଲିସ ଏହି ମାମଲା ପଞ୍ଜୀକୃତ କରି ନାହିଁ । ପୀଡିତାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଉପରେ ଚାପ ପଡିଥିଲା । ପରେ ପୋଲିସ ଏକ ମାମଲା ରୁଜୁ କରିଛି । ସେପଟେ ପୀଡିତା ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *