ଏନଡିଏ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଆଜି ନୂଆଦିଲ୍ଲୀରେ ୫୩ତମ ଜିଏସଟି ପରିଷଦ ବୈଠକ
1 min readଆଜି ନୂଆଦିଲ୍ଲୀରେ ବସିବ ୫୩ତମ ଜିଏସଟି ପରିଷଦ ବୈଠକ। ଆଜି ଅର୍ଥାତ ଜୁନ ୨୨ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏନଡିଏ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏହା ହେଉଛି ପ୍ରଥମ ଜିଏସଟି ପରିଷଦ ବୈଠକ।
ଜିଏସଟି ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇପାରେ | ଜିଏସଟି ପରିଷଦର ଶେଷ ବୈଠକ ୮ ମାସ ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ।
ଜିଏସଟି ସଂରଚନାକୁ ଶୃଙ୍ଖଳିତ କରିବା, ଅନୁପାଳନ ବୃଦ୍ଧି ଏବଂ ଶିଳ୍ପ ସମସ୍ୟାର ସମାଧାନ ଲକ୍ଷ୍ୟ ନେଇ ଆଜି ଅନୁଷ୍ଠିତ ହେବାକୁ ଥିବା ଜିଏସଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ ବୋଲି ଆଶା କରାଯାଉଛି। ନିର୍ମଳା ସୀତାରମଣ ଆନୁଷ୍ଠାନିକ ଭାବେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ଦିନ ପରେ ଜିଏସଟି ପରିଷଦ ୫୩ ତମ ଜିଏସଟି ପରିଷଦ ବିଠକର ତାରିଖ ଘୋଷଣା କରିଥିଲେ ।
ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।