କ୍ୟାପିଟାଲ ହସ୍ପିଟାଲରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାଦାଗିରି , ୩ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଲେ ଶବ ..
1 min readକ୍ୟାପିଟାଲ ହସ୍ପିଟାଲରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାଦାଗିରି । ଶବ ବ୍ୟବଚ୍ଛେଦ ପାଇଁ ଆସିଥିବା ଆମ୍ବୁଲାନ୍ସକୁ ଶବ ସହ ଅଟକ । ୩ଘଣ୍ଟା ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ନିର୍ଯ୍ୟାତନା ଦେଇଛନ୍ତି ଘରୋଇ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କ୍ୟାପିଟାଲ ହସ୍ପିଟାଲରେ । ସୂଚନା ଅନୁଯାୟୀ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଉତ୍ତର ପ୍ରଦେଶର କମଲେଶ୍ ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ପାଇଁ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା । ଶବ ବ୍ୟବଛେଦ ପରେ ଆମ୍ବୁଲାନ୍ସ ଛାଡ଼ିନଥିଲେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ।ଆମ ଆମ୍ବୁଲାନ୍ସ ନିଅ ନ ହେଲେ ଟଙ୍କା ଦିଅ ବୋଲି ଅଡିବସିଲେ। କେବଳ କ୍ୟାପିଟାଲ ହସ୍ପିଟାଲ ଆମ୍ବୁଲାନ୍ସ ଶବ ନେଇପାରିବ କହି ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ଅଟକାଥିଲେ ।
ଶବ କୁ ଅନ୍ତିମ ସଂସ୍କାର କରିବାକୁ ଅଟକାଇ ଜୁଲମ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ । ଖବର ପାଇ ଉକ୍ତ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ମୃତଦେହ ଛାଡିଦେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ ।
କ୍ୟାପିଟାଲ ହସ୍ପିଟାଲରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଜୁଲମ ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ଫଳରେ ହତା ଭିତରୁ ଆମ୍ବୁଲାନ୍ସକୁ ବାହାର କରିଦିଆଯାଇଛି । କିନ୍ତୁ ଏବେ ପୁଣି ହସ୍ପିଟାଲ ପରିସରରେ ଦାଦାଗିରି ଆରମ୍ଭ କରିଛନ୍ତି ଘରୋଇ ଆମ୍ବୁଲାନ୍ସ । ହସ୍ପିଟାଲ କାନ୍ଥରେ ଘରୋଇ ଆମ୍ବୁଲାନ୍ସ ସେବାର ପୋଷ୍ଟର ଲାଗିଛି ସେଥିରେ ମୋବାଇଲ ନମ୍ବର ବି ଅଛି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି । ଫଳରେ ନୀରିହ ଲୋକମାନେ ଏମିତି ନିର୍ଯ୍ୟାତନା ର ଶିକାର ହନ୍ତସନ୍ତ ହେଉଛନ୍ତି । ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଛି । କିନ୍ତୁ କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ଦୌରାତ୍ମ୍ୟ ବଢିବଢି ଚାଲିଛି । ସେପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଏଭଳି ହେଉଥିଲେ ଆମକୁ ଅଭିଯୋଗ କରନ୍ତୁ ।
କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅଭିଯୋଗ ବାରମ୍ବାର ହେଉଛି । ଶବ ନେବାପାଇଁ ନିରୀହ ଲୋକଙ୍କୁ ଘରୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଅଧିକ ଅର୍ଥ ଦାବି କରୁଛନ୍ତି । କିନ୍ତୁ ପ୍ରଶାସନର ନୀରବତା ସେମାନଙ୍କୁ ସାହାସ ଦେଉଛି ।