Pratidin TV

Odisha's Digital News Platform

(ଭିଡିଓ) ଟଙ୍କା ଗଣି ଗଣି ସବୁ ହାଲିଆ,ଶେଷରେ ସରିଲା ଟଙ୍କାଗଣତି, ମିଳିଲା ୩୦୫ କୋଟି…

ସାରା ଦେଶ ଦେଖିଲା ମଦ ଟଙ୍କାର ପାହାଡ଼ । ଖବର ଶୁଣି ଯେମିତି ଲାଗୁଛି ଆଖି ଦେଖି ସେମିତି ତାଟକା ହେଇ ଯାଉଛି । ଏମିତିକି ବ୍ୟାଙ୍କ କର୍ମଚାରୀଙ୍କ ସହ ଟଙ୍କା ଗଣା ମେସିନ ମଧ୍ୟ ନାକେଦମ ହୋଇଗଲା । ୫ ଦିନ ହେଲା ମଣିଷଠୁ ମେସିନ୍ ଯାଏ ମଦ ବ୍ୟବସାୟୀଙ୍କଠୁ ଜବତ ଟଙ୍କା ଗଣାରେ ଲାଗି ପଡିଥିଲେ । ତେବେ ଏଥର ଗଣତି ଶେଷ ହୋଇଛି । ଏହି ଟଭ୍‌କା ଗଣତି ପାଇଁ ମେସିନ ବି ହାର ମାନି ଯାଇଥିଲା । ତେବେ ଗଣତି ଶେଷରେ ମଦ ବ୍ୟବସାୟୀଙ୍କ ଠିକଣାରୁ ମୋଟ ୩୦୫ କୋଟି ଟଙ୍କା ମିଳିଥିବା ବଲାଙ୍ଗୀର ଏସ୍‌ବିଆଇ ଆରଏମ ଭଗତ ବେହେରା ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠିକଣାରେ ଆୟକର ବିଭାଗର ରେଡ ବେଳେ ବସ୍ତାବସ୍ତା ଟଙ୍କା ମିଳିଥିଲା । ଏହାପରେ ଜବତ ଟଙ୍କାକୁ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରେ ଗଣତି କରାଯାଇଥିଲା । ପ୍ରାୟ ୨୫ଟି ମେସିନ ଓ ୫୦ କର୍ମଚାରୀ ଏଥିରେ ନିୟୋଜିତ ଥିଲେ । ଆଉ ୫ ଦିନର ଲଗାତାର ଗଣତି ପରେ ରବିବାର ସନ୍ଧ୍ୟାରେ ଗଣତି ଶେଷ ହୋଇଛି ।ଏଥିସହ ମଦ ବ୍ୟବସାୟୀଙ୍କ ଠିକଣାରୁ ମୋଟ ୩୦୫ କୋଟି ଟଙ୍କା ମିଳିଛି । ବ୍ୟାଙ୍କ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଚାଲିଥିଲା ଗଣଣା । ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବା ସତ୍ତ୍ୱେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କାର ଗଣତି କରିଥିଲେ ।

ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍ । ପୂର୍ବରୁ ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟିରେ ପହଞ୍ଚିଥିବାବେଳେ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ଥିଲା ୩୭ କୋଟି ୫୦ ଲକ୍ଷ ଟଙ୍କା ଥିଲା । ବଲାଙ୍ଗିର, ଟିଟିଲାଗଡ଼ ଏବଂ ସମ୍ବଲପୁର ୩ଟି ଜାଗାରୁ ଜବତ ନୋଟର ପରିମାଣ ଏବେ ପ୍ରାୟ ୩୪୮ କୋଟିରେ ପହଞ୍ଚିଛି । ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଧରି ଲଗାତର ଆଇଟି ଟିମ୍ ତଥ୍ୟ ଆଦାୟ କରୁଛି ।ତେବେ ଏଠି ପ୍ରଶ୍ନ ଉଠୁଛି ୩୦୫ କୋଟି କେଉଁଠୁ ଆସିଲା । କିଏ ଦେଲା ଏତେ ଟଙ୍କା କେବେ ଠାରୁ ଏହାକୁ ସଂଚୟ କରି ରଖାଯାଇଛି । ଏସବୁ ଟଙ୍କା କେଉଁଆଡ଼େ ଯିବାର ଥିଲା କି ନାହିଁ, ଆଇଟି ଟିମ୍ ତା’ର ଯାଞ୍ଚ ଆଜିଠାରୁ ଆରମ୍ଭ କରିବ ।

Leave a Reply

Your email address will not be published. Required fields are marked *