Pratidin TV

Odisha's Digital News Platform

ଗ୍ୟାସ୍ କର୍ମଚାରୀ କହି ଠକି ନେଇଥିଲେ ଟାଙ୍କି , ବାନ୍ଧିଲା ବଡଚଣା ପୋଲିସ ..

ଚଣ୍ଡିଖୋଲ ; ଗାଁରେ ପ୍ରଚାର ଆସିଲା ମା , ମାଉସୀ ମାନେ ୧୦୦ ଟଙ୍କା ଦିଅନ୍ତୁ ଆଉ ନିଜ ଗ୍ୟାସ ଟାଙ୍କି ଫୁଲ କରି ନିଅନ୍ତୁ । ଏହାପରେ ଗାଁ ଭିତରେ ଘରେ ଘରେ ଜଣେ ଜଣେ ଠକ ଯାଇ ମହିଳା ମାନଙ୍କୁ ପଚାରିଥିଲେ । ଆପଣଙ୍କର ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ହିତାଧିକାରୀ କି ? ଆମକୁ କମ୍ପାନୀ ପଠାଇଛି ଗ୍ୟାସ୍ ଭରିବା ପାଇଁ , ଆପଣ ମାତ୍ର ୧୦୦ ଟଙ୍କା ଦେବେ , ଆମେ ଆପଣଙ୍କ ଗ୍ୟାସ୍ ଭରିଦବୁ ।ଏଭଳି କହି ଗ୍ରାମବାସୀଙ୍କୁ ଚୂନ ଲଗାଇଛନ୍ତି କିିଛି ଠକ । ଆଜି ଏଭଳି କିଛି ଠକେଇର ଅଭିଯୋଗ ହୋଇଛି ବଡଚଣା ଥାନାରେ ।

ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଭଦ୍ରକ ଅଞ୍ଚଳର ଜଣେ ଯୁବକ ବଡଚଣା ଥାନା ଅଞ୍ଚଳରେ ରାଧାଦେଇପୁର ପଞ୍ଚାୟତ ର ଦାମଦରପୁର ଗ୍ରାମର ପାର୍ବତୀ ମଲ୍ଲିକ ଘରେ ପହଞ୍ଚି ମାତ୍ର ୧୦୦ ଟଙ୍କାରେ ଗ୍ୟାସ ଟାଙ୍କି ଭରି ଦେବାକୁ କହି ତିନୋଟି ଟାଙ୍କି ତାଙ୍କ ଠାରୁ ଆଣି ଥିଲେ । ଆପଣ ଅପେକ୍ଷା କରନ୍ତୁ ଆମ ଗାଡ଼ି ଗାଁ ବାହାରେ ଠିଆ ହୋଈଛି କହିଥିଲେ । କିଛି ସମୟ ଅପେକ୍ଷା ପରେ ନ ଆସିବାରୁ ବହୁ ଖୋଜାଖୋଜି ପରେ ଥାନା ଅଭିଯୋଗ କରିଥିଲେ । ବଡ଼ଚଣା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୬ ଟି ଟାଙ୍କି ଲୁଟିନେଇଥିବା ଲୁଟେରାକୁ ପୋଲିସ ଗିରଫ କରିଛି । ଗିରଫ ଲୁଟେରା ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଆଖୁଆପଦା ଅଞ୍ଚଳର ବିଜୟ କୁମାର ସାହୁଙ୍କ ପୁଅ ବସନ୍ତ କୁମାର ସାହୁ (୪୭) । ବସନ୍ତ ସେହି ସାହିର ଅନ୍ୟ ଦୁଇ ଜଣଙ୍କ ଠାରୁ ୨୦୦ ଟଙ୍କା ନେଇଥିଲେ । ଗତ ୯ ତାରିଖ ଦିନ ବସନ୍ତ ଆସି ବଡ଼ଚଣାର ପାଞ୍ଚ ଗରିବ ପରିବାରରୁ ୧୦୦ ଟଙ୍କାରେ ଗ୍ୟାସ ଭରିଦେବ କହି ୫୦୦ ଟଙ୍କା ନେଇଥିଲା ।

ତେବେ ଏହି ଘଟଣା ପ୍ରଚାରିତ ହେବା ପରେ କେତେକ ଯୁବକ ବସନ୍ତକୁ ଅଟକ ରଖି ଥାନାକୁ ଖବର ଦେଇଥିଲେ । ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ମିନତୀ ବେହେରା ଘଟଣା ସ୍ଥଳକୁ ଯାଇ ଅଟକ ବସନ୍ତଙ୍କ ସହିତ ୫ଟି ଗ୍ୟାସ ଟାଙ୍କି ଥାନାକୁ ଆଣିଥିଲେ । ପରେ ଖବର ପାଇ ଦାମୋଦରପୁର ଗ୍ରାମର ପାର୍ବତୀ ଓ ଅନ୍ୟ ଦୁଇ ଜଣ ଥାନାକୁ ଆସି ସେମାନଙ୍କ ଟାଙ୍କି ବସନ୍ତ ନେଇଥିବା ଅଭିଯୋଗ କରିଥିଲେ । ତେବେ ଏମାନଙ୍କ ଟାଙ୍କି ଯାଜପୁର ଟାଉନରେ ନେଇ ରଖିଥିବା ବସନ୍ତ ସ୍ୱୀକାର କରିଥିଲା । ପରେ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ସୁଶ୍ରୀ ବେହେରା ଅଭିଯୁକ୍ତ ବସନ୍ତକୁ ସାଥିରେ ନେଇ ଯାଜପୁର ଟାଉନରୁ ୩ ଟି ଟାଙ୍କି ଜବତ କରି ଥାନାକୁ ଆଣିଥିଲେ । ଥାନା କେଶ ନମ୍ବର ୨୯୮/୨୩ ରେ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତ ବସନ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *