Pratidin TV

Odisha's Digital News Platform

ଦୁର୍ବଳ ହେଲା ଦାନା; ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ,ଦିନ ୧ଟା ସୁଦ୍ଧା ରାସ୍ତା ସଫେଇ କାମ ସରିବ

1 min read

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଦାନା’ । ଦୁର୍ବଳ ହୋଇ ଏବେ ଘୂର୍ଣ୍ଣିଝଡ଼ରେ ହେଲା ପରିଣତ । ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି ।

ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳରୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଅର୍ଥାତ ଧାମରା ଟପି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୫୦ କି.ମି. ଅତିକ୍ରମ କରିସାରିଲାଣି ଦାନା । ଗତ ୬ ଘଣ୍ଟା ଧରି ଦୁର୍ବଳ ‘ଦାନା’ ଘଣ୍ଟାପ୍ରତି ୧୦ କି.ମି. ବେଗରେ ଗତି କରୁଛି । ବାତ୍ୟାର କେନ୍ଦ୍ରସ୍ଥଳରେ ବର୍ତ୍ତମାନ ଘଣ୍ଟାପ୍ରତି ୮୦ରୁ ୯୦ କି.ମି. ବେଗରେ ପବନ ବହୁଛି । ଝଟକା ପବନ ଘଣ୍ଟାପ୍ରତି ୧୦୦ କି.ମି. ଯାଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Advertisement

ଅଧରାତିର ପ୍ରଳୟ ରଚିଛି ବାତ୍ୟା ‘ଦାନା’ । ‘ଦାନା’ ପ୍ରଭାବରେ ତିନି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଛି । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ପୁଣି ଥରେ ବାତ୍ୟାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଲକ୍ଷ ଥିଲା ଜିରୋ କାଜୁଆଲିଟି ଉପରେ । ଯେଉଁଥିରେ ଆମେ ସଫଳ ହୋଇଛୁ। ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ମୁଁ ପ୍ରଶଂସା କରୁଛି । କେଉଁ ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି ତା’ର ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧ଟା ସୁଦ୍ଧା ରାସ୍ତା ସଫେଇ କାମ ସରିବ। ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା କାଳରେ ୧୬ ଶହ ଶିଶୁ ଜନ୍ମ ନେଇଛନ୍ତି । ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *