ଶ୍ମଶାନରୁ ଉଦ୍ଧାର ହେଲା ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ , ଭଉଣୀ ଆଣିଲେ ବୋହୂ ନାଁରେ ହତ୍ୟା ଅଭିଯୋଗ ।
1 min readରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ଶ୍ମଶାନରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଠାଇଆଣିଲା ପୋଲିସ । ହେଲେ କାହିଁକି ?
ପୋଲିସ କହିବା ଅନୁଯାୟୀ ମୃତ ବୃଦ୍ଧାଙ୍କ ପରିବାରର ହତ୍ୟା ଅଭିଯୋଗ କ୍ରମେ ପୋଲିସ ତୁରନ୍ତ ଶ୍ମଶାନରେ ପହଞ୍ଚି ନିଆଁ ଲିଭାଇ ଦରପୋଡ଼ା ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ । ସେ ତାଙ୍କ ବୋହୂଙ୍କ ସହିତ ଭୁବନେଶ୍ୱରରେ ରହୁଥିଲେ। ଆଜି ସକାଳେ ହଠାତ୍ ଅଶ୍ରୁକଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ବୋହୂ ତାଙ୍କୁ ସଙ୍ଗେ ସଙ୍ଗେ ଏକ କ୍ଲିନିକକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିୟମ ଅନୁସାରେ ଘଟଣା ମୃତଦେହକୁ ପୋଷ୍ଟମର୍ଟମ କରିବା କଥା। ହେଲେ ମୃତ ଅଶ୍ରୁକଣାଙ୍କ ବୋହୂ ପୋଷ୍ଟମର୍ଟମ ନକରି ମୃତଦେହ ଧରି ସତ୍ୟନଗର ଶ୍ମଶାନକୁ ଚାଲି ଆସିଥିଲେ। ସେଠାରେ ଦାହ କରି ଦେଉଥିଲେ। ହେଲେ ଏ ସମ୍ପର୍କରେ ନିଜ ସମ୍ପର୍କୀୟଙ୍କୁ ଜଣାଇନଥିଲେ।
ଏନେଇ ଅଶ୍ରୁକଣାଙ୍କ ସାନ ଭଉଣୀ ଏ ସମ୍ପର୍କରେ ଜାଣିପାରିଥିଲେ। ସେ ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ ଧରି ସତ୍ୟନଗର ଶ୍ମଶାନରେ ପହଞ୍ଚିଥିଲେ। ସେତେବେଳେ ବଡ଼ ଭଉଣୀଙ୍କ ଜୁଇ ଜଳୁଥିବା ଦେଖି ସେ ସଙ୍ଗେ ସଙ୍ଗେ ଖାରବେଳ ନଗର ଥାନାକୁ ଖବର ଦେଇଥିଲେ। ପୋଲିସ ଶ୍ମଶାନରେ ପହଞ୍ଚି ଜୁଇରେ ନିଆଁ ଲିଭାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି।
ଅନ୍ୟପକ୍ଷରେ ମୃତ ଅଶ୍ରୁକଣାଙ୍କ ଭଉଣୀ ନିଜ ପୁତୁରା ବୋହୂଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି, ଉଭୟ ଭଉଣୀ ଭୁବନେଶ୍ୱରରେ ରହୁଥିଲେ। ହେଲେ ନିଜ ବଡ଼ ଭଉଣୀକୁ ଭେଟିବାକୁ ଦେଉନଥିଲେ ନିଜର ପୁତୁରା ବୋହୂ। ବଡ଼ ଭଉଣୀ ଅଶ୍ରୁକଣାଙ୍କୁ ସେ(ପୁତୁରା ବୋହୂ) ଘରେ ତାଲା ପକାଇ ରଖୁଥିଲେ। କାହା ସହିତ ମିଶିବାକୁ ଦେଉନଥିଲେ। ମାଡ଼ ମାରୁଥିଲେ। ଖାଇବାକୁ ଦେଉନଥିଲେ। ତେଣୁ ସେ ହିଁ ଅଶ୍ରୁକଣାଙ୍କଙ୍କୁ ହତ୍ୟା କରି ଶ୍ମଶାନରେ ତରବରିଆ ଭାବେ ପୋଡୁଥିଲେ ବୋଲି ଅଶ୍ରୁକଣାଙ୍କ ଭଉଣୀ ଅଭିଯେଗା ଆଣିଛନ୍ତି ।
ଅନ୍ୟପଟେ ବୋହୂ ଏ ଅଭିଯୋଗକୁ ସମୂର୍ଣ୍ଣ ମିଛ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଘରେ ତାଙ୍କର ଜଣେ ମହିଳା ରୋଷେଇୟା ଅଛନ୍ତି ତା ସହ ଦିବ୍ୟାଙ୍ଗ ନଣନ୍ଦ ଆଉ ୨ ଟି ଛୁଆ । ତେବେ ସେ କିଭଳି ଭାବେ ଏପରି କରିପାରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରଶ୍ନ ପଚାରିଛନ୍ତି । ସେ ଆଉ ଏକ କଥା କହିଛନ୍ତି ଯେ ମାଉସୀ ଶାଶୁ ସମ୍ପତି ପାଇଁ ଏସବୁ ଚାଲ ଚଳାଇଛନ୍ତି । ମୋ ନଣନ୍ଦଙ୍କ ସମ୍ପତି ନେବା ପାଇଁ ସେ ଏଭଲି ଅଭିଯୋଗ କରିଛନ୍ତି । ତେବେ ସମୃକ୍ତ ଘଟଣାରେ କଣ ସତ କଣ ମିଛ ତାହା ତଦନ୍ତ ପରେ ଜଣାପଡିବ ।