ଇଣ୍ଡିଆନ୍ ଆଇଡଲ୍ ରେ ଓଡ଼ିଆ ପୁଅର କମାଲ , ଗୀତ ସହ ଗାଈ ପ୍ରତି ଥିବା ସ୍ନେହ ପ୍ରେମ ଦେଖି ଜଜେସ୍ କାବା ।
1 min readଓଡ଼ିଆ ପୁଅ ଙ୍କ ଗୀତ କୁ ନେଇ ଯେତିକି ଚର୍ଚ୍ଚା ତା’ ଠୁ ଅଧିକ ସାମ୍ନାକୁ ଆସିଛି ତାଙ୍କର ଗାଈ ପ୍ରତି ଥିବା ସ୍ନେହ, ପ୍ରେମ କୁ ଜଜେସ୍ ମାନେ ପସନ୍ଦ କରୁଛନ୍ତି । ସୋନି ଟିଭି ରେ ପ୍ରସାରିତ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୫ ରେ ଧମାଲ୍ କରୁଛନ୍ତି କଟକ ର ପୁଅ ଜ୍ୟୋତି ପ୍ରକାଶ ଓଝା । କଟକ ନୂଆପଡ଼ା ର ଜ୍ୟୋତି ପ୍ରକାଶ ଏବେ ଟପ୍ ୧୬ ରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ହାସଲ କରି ସାରିଲେଣି ଇଣ୍ଡିଆନ୍ ଆଇଡଲ୍ ର ଗୋଲ୍ଡେନ ଏବଂ ପ୍ଲାଟିନମ୍ ମାଇକ୍ ।
ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୫ ରେ ଚାଲିଛି ଏବେ ଟପ୍ ସିକ୍ସ୍-ଟିନ୍ ପାଇଁ ପ୍ରତିଯୋଗିତା । ଆଉ ଏହି ଟପ୍ ୧୬ରେ ଅଛନ୍ତି କଟକ ନୂଆପଡ଼ା ଅଞ୍ଚଳର ରବୀନ୍ଦ୍ର ନାଥ ଓଝା ଓ ରୂପାଞ୍ଜଳି ଓଝାଙ୍କ ବଡ଼ ପୁଅ ଜ୍ୟୋତି ପ୍ରକାଶ ଓଝା । ଶାସ୍ତ୍ରୀୟ ସଙ୍ଗୀତ ହେଉ ଅବା ମର୍ଡନ୍ ସବୁଥିରେ ଜ୍ୟୋତିଙ୍କ ସ୍ୱରରେ ରହିଛି ଯାଦୁଗରି । ଏମିତିକି ନାତି ର ଶୋ’ ଟିଭିରେ ଆସିବା କ୍ଷଣି ବିଛଣା ରୁ ଉଠି ଆସନ୍ତି ୮୭ ବର୍ଷୀୟ ଜେଜେ ମା’ । କେବଳ ନାତିର ଶୋ’ କାହିଁକି ପ୍ରତିଯୋଗିତା ରେ ଥିବା ପ୍ରତ୍ୟେକଟି ପ୍ରତିଯୋଗୀଙ୍କ ଗୀତ କୁ ଦେଖୁଛନ୍ତି ବୋଲି କହିଛନ୍ତି ଜେଜେ ମା’ ହେମଲତା ଓଝା । ସେହିଭଳି ଜ୍ୟୋତିଙ୍କ ମା’ କୁହନ୍ତି ମୋ ପୁଅର ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଦିନ ସକାଳୁ ନ ଶୁଣିଲେ ଘରଟା ପବିତ୍ର ଲାଗେନା ।
ଇଏ ତ ଥିଲା ଜ୍ୟୋତିଙ୍କ ଗୀତ ଚର୍ଚ୍ଚା । କିନ୍ତୁ ତାଙ୍କର ଗାଈ ପ୍ରେମ ବେଶ୍ ନିଆରା । ସୁରଭି ଓ ତୁଳସୀ । ପଶୁ ହେଲେ ବି ଏମାନେ ପରିବାର ର ସଦସ୍ୟ ଭଳି । ଜ୍ୟୋତିଙ୍କ ବାପା କହିବା କଥା ଆମ ପରିବାରରେ ଯିଏ ଯାହା ରୋଜଗାର କଲେ ବି ଏମାନଙ୍କ ପାଇଁ ନିଜ ରୋଜଗାର ରୁ ଦଶ ପ୍ରତିଶତ ରଖିବ । ତେବେ ଜ୍ୟୋତି ଙ୍କ ସଙ୍ଗୀତ ନିଶା ଆରମ୍ଭ ହୁଏ ମାତ୍ର ତିନି ବର୍ଷ ବୟସରୁ । ନିଜ ମାମୁ ଙ୍କ ଠୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିବା ଜ୍ୟୋତି ପରବର୍ତ୍ତୀ ସମୟରେ ଗୁରୁ ପ୍ରକାଶ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି ୮ ବର୍ଷର କୋର୍ସ କୁ ମାତ୍ର ତିନି ବର୍ଷରେ ଶେଷ କରିଥିଲେ । ଆଉ ଜ୍ୟୋତି ର ଦକ୍ଷତା ଦେଖି ତାଙ୍କ ଅଭିଭାବକ ଙ୍କୁ କହିଥିଲେ ତୁମେ ପୁଅକୁ ବଡ଼ ସଙ୍ଗୀତ ବିଶାରଦଙ୍କ ପାଖକୁ ନେଇଯାଅ । ଏହାପରେ କଲିକତାର ଆନ୍ତର୍ଜାତିକ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ପଣ୍ଡିତ ରାସିଦ୍ ଖାନ୍ ଓ ଅଜୟ ଚକ୍ରବର୍ତ୍ତୀଙ୍କ ଠୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।
ଜ୍ୟୋତିଙ୍କୁ ଇଣ୍ଡିଆନ୍ ଆଇଡଲ୍ ରେ ସଫଳତା ମିଳିବ କି ନାହିଁ ତାହା ସମୟ କହିବ କିନ୍ତୁ ପଶୁ ପ୍ରିତି କୁ ନେଇ ଉଭୟ ବଲିଉଡ୍ ର ନାମୀଦାମୀ ଚେହେରା ଏବଂ ସାଧାରଣ ରେ ବାଃ ବାଃ ମିଳୁଛି ।