ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା…
1 min read
କଟକ: ବର୍ତ୍ତମାନ ଚାଲିଛି ଇଣ୍ଟରନେଟ ଯୁଗ । ଅନଲାଇନରେ ପାଠ ପଢାଠାରୁ ଆରମ୍ଭ କରି ସପିଙ୍ଗ ପର୍ଯ୍ୟନ୍ତ ସବୁକିଛି ଏହା ମାଧ୍ୟମରେ ସମ୍ଭବ ହୋଇପାରୁଛି । ଏପରିକି ଆମେ ସୋସିଆଲ ମିଡିଆରେ ନୁଆ ନୁଆ ବନ୍ଧୁ ମଧ୍ୟ ବନାଇପାରୁଛେ । ସେହିପରି ବିବାହପାଇଁ ସାଥି ଚୟନ କରିବା ପାଇଁ ମଧ୍ୟ ଏଥିରେ ସୁବଧା ରହିଛି । ସେଥିପାଇଁ ଆଜିର ସମୟରେ ଅନଲାଇନ୍ ପାଲଟିଛି ଜୀବନ ସାଥୀ ଖୋଜିବାର ସରଳ ମାଧ୍ୟମ । ହେଲେ ଏହି ଅନଲାଇନ୍ ରେ ଜୀବନ ସାଥି ଖୋଜିବା ହେଲା ମହଙ୍ଗା । ମ୍ୟାଟ୍ରିମୋନିଆଲ ସାଇଟ୍ରୁ ଖୋଜିଥିବା ଜୀବନ ସାଥି ଯୁବତୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଅଭିଯୁକ୍ତ ଜଣକ ନିଜକୁ ଆୟକର ବିଭାଗର ଅଧିକାରୀ କହି ସମ୍ପର୍କ ବଢ଼ାଇଥିଲା । ହେଲେ ପରେ ତାଙ୍କର ଅସଲି ଚେହେରା ପଦାକୁ ଆସିଥିଲା ।
ଯାଜପୁର ଅଂଚଳର ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ସୂଚନା ମୁତାବିକ ଜନୈକ ଯୁବତୀ ଜଣକ ମ୍ୟାଟ୍ରିମୋନିଆଲ ସାଇଟରେ କଟକର ସୁଧାଂଶୁ ବେହେରା ନାମକ ଜଣେ ଯୁବକଙ୍କ ସହ ଯୋଗାଯୋଗରେ ଆସିଥିଲେ । ପରେ ସୁଧାଂଶୁ ନିଜକୁ ଜଣେ ଆୟକର ବିଭାଗର ଅଫିସର୍ ବୋଲି ଉକ୍ତ ଯୁବତୀଙ୍କୁ ପରିଚୟ ଦେଇଥିଲେ । ଏପରିକି ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ଏହି ସମୟରେ ଯୁବତୀଙ୍କର ଦୁଇ ଲକ୍ଷ ଟଙ୍କା ର ଆବଶ୍ୟକତା ଥିଲା । ଯେଉଁଥିପାଇଁ ସେ ନିଜ ସୁନା ବନ୍ଧକ ରଖି ଟଙ୍କା ନେବା ପାଇଁ ଚାହୁଁ ଥିଲେ । ଆଉ ଏହାର ସୁଯୋଗ ଉକ୍ତ ଯୁବକ ଜଣକ ସେଥିରୁ ୩୦ ଗ୍ରାମ ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିଲେ । ତେବେ ମାତ୍ର ସାତ ଦିନର ଚିହ୍ନା ପରିଚୟ ଭିତରେ କିଛି ବୁଝିବା ପୂର୍ବରୁ ଠାକାମିର ଶିକାର ହୋଇ ସାରିଥିଲେ ଯୁବତୀ ଜଣଙ୍କ । ଏମିତିକି ଯେତେବେଳେ ଯୁବତୀ ନିଜର ସୁନା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ପାଇଁ ବାଧ୍ୟ କରୁଥିଲେ । ଏହା ସହ ବ୍ଲାକ ମେଲିଂ ମଧ୍ୟ କରୁଥିଲେ । ଯାହା ଫଳରେ ଯୁବତୀ ଜଣକ କଟକ କ୍ୟାଣ୍ଟନ ମେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ତେବେ କେବଳି ଏହି ଯୁବତୀ ନୁହନ୍ତି ଏମିତି ଅନେକ ଯୁବତୀଙ୍କୁ ସେହି ଅଭିଯୁକ୍ତ ବିବାହ ପ୍ରତିଶ୍ରୁତି ଦେଇ ଠକୁଥିବାର ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀ ।
ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁଧାଂଶୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ । ଅଭିଯୁକ୍ତ ନିକଟରୁ ୩୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରାଯିବା ସହ ମାମଲା ରୁଜ୍ଜୁ କରାଯାଇଛି । ତେବେ ବର୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ ଜଣେ ଅଭିଯୋଗ କରିଛନ୍ତି । ଆଉ ଯଦି କେହି ଅଭିଯୋଗ କରନ୍ତି ତେବେ ମାମଲା ରୁଜ୍ଜୁ କରାଯିବ ବୋଲି କହିଛନ୍ତି କଟକ ଏ ଡି ସି ପି ଅନିଲ କୁମାର ମିଶ୍ର ।