Pratidin TV

Odisha's Digital News Platform

ବର୍ଷ ବର୍ଷ ଧରି ନିଜ ପିଠିରେ ମାଲିକର ବୋଝ ବୋହୁଥିବା ବୁଢା ଓଟ ମାଲିକ ପାଇଁ ହୋଇଯାଇଛି ବୋଝ…ରାସ୍ତରେ ଛାଡି ଚାଲିଯାଇଛି ନିର୍ଦ୍ଦୟ

1 min read

ବୁଢ଼ା ହେଲି ବୋଲି କାମରେ ଅସିଲିନି, ମାଲିକ ମୋତେ କରିଦେଲା ପର | ସ୍ଵାର୍ଥ ସରିଗଲା ଆଉ ହଜିଗଲା ମାନବିକତା | ହେ ମଣିଷ ସତରେ କ’ଣ ତୁ ସ୍ଵାର୍ଥପର? ଯଦି ସେପରି ହୋଇନଥାନ୍ତା ତାହେଲେ ବର୍ଷ ବର୍ଷ ଧରି ମୋତେ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ମୋର ଏପରି ରୋଗଣା ଅବସ୍ଥାରେ ମୋତେ ପର କରିଦେଇ ନଥାନ୍ତୁ। କ’ଣ ଦୋଷ କରିଥିଲି ମୁଁ ତୋର? ଯେ ତୁ ମୋତେ ଏମିତି ଅଧାରାସ୍ତାରେ ଏକା ଛାଡିଦେଇ ଚାଲିଗଲୁ। ଏବେ ମୋର ଆସରା ସାଜିଛି ଏହି ଗଛ, ଯେତେଦିନ ବଞ୍ଚିବି ଏଇ ଗଛ ହିଁ କେବଳ ସାହା ଭରସା ।

ନିଜ ନୀରବତାରେ ଏହିପରି କିଛି ପ୍ରଶ୍ନ ପଚାରି ଚାଲିଛି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ବୁଢ଼ା ଓଟଟିଏ। ତା’ର ଛଳ ଛଳ ଆଖିକୁ ଦେଖିଲେ ସବୁକିଛି ଯେପରି ବାରି ହେଇଯାଉଛି। ଇଏ ହେଉଛି ଏକ ବୃଦ୍ଧ ରୋଗିଣା ଓଟର ଦାରୁଣ ଦୁଃଖ। ଏହି ଓଟଟିକୁ ତା’ର ମାଲିକ ଛାଡି ଦେଇ କେଉଁ ଆଡେ ଚାଲିଯାଇଛି। ବର୍ଷ ବର୍ଷ ଧରି ନିଜ ପିଠିରେ ମାଲିକର ବୋଝ ବୋହି ବୋହି ଓଟ ଟିର ପିଠିରେ ସୃଷ୍ଟି ହୋଇଛି ଏକ ବିରାଟ କ୍ଷତଚିହ୍ନ। ଏଥିସହିତ ବୁଢା ହୋଇଯାଇଥିବାରୁ ଓଟଟି ଠିକ୍ ଭାବରେ ଚଲାବୁଲା ମଧ୍ୟ କରିପାରୁନାହିଁ। ଏଣୁ ଆଜି ମାଲିକ ପାଇଁ ଏହି ଓଟଟି ହୋଇଯାଇଛି ବୋଝ। ଏପରି କିଛି ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥ କଡ଼ ସୋତି ଛକ ନିକଟରେ। ରାତ୍ରି ପ୍ରାୟ ୧୨ଟା ସମୟରେ ଜୈନେକ ଅଜଣା ବ୍ୟକ୍ତି ଏହି ପୋଷା ଓଟଟିକୁ ଆଣି ନିକଟସ୍ଥ ଦୋକାନ ପାଖରେ ଛାଡିଦେଇ କେଉଁଆଡେ ଚାଲିଯାଇଛି। ଓଟଟିର ଅବସ୍ଥା ଏପରି ଯେ ପିଠିରେ ଏକ ବଡ଼ କ୍ଷତ ଚିହ୍ନ ସୃଷ୍ଟି ହେବା ସହ ଓଟଟି ବୃଦ୍ଧ ହେତୁ ଚାଲିବାକୁ ମଧ୍ୟ ଅକ୍ଷମ ହୋଇପଡିଛି। ଓଟଟିର ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର କିଛି ସହୃଦୟ ଯୁବକ ଓଟଟିର ମାଲିକକୁ ଖୋଜା ଖୋଜି କରିବା ସତ୍ତ୍ୱେ ନ ପାଇ ଶେଷରେ ଓଟ ପାଇଁ ଖାଦ୍ୟ ଯୋଗାଡ଼ କରିଥିଲେ ମଧ୍ୟ ଓଟଟି କିଛି ନ ଖାଇ ନ ପିଇ ସେମିତି ଶୋଇ ରହିଥିଲା । ଆଉ ଛଳ ଛଳ ଆଖିରେ ବୋଧେ ମନେ ମନେ ତା ମାଲିକକୁ ଖୁବ୍ ଖୋଜୁଛି। ଏଣୁ ସ୍ଥାନୀୟ ପ୍ରଶାସନ ତଥା ବନ ବିଭାଗ ଏହି ଓଟଟିକୁ ନିଜ ହେପାଜତକୁ ନେଇ ତାହାର ଚିକିତ୍ସା କରାଇବା ସହ ଓଟର ମାଲିକକୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ତଥା ପଶୁପ୍ରେମୀ ମାନେ ଦାବି କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *