Pratidin TV

Odisha's Digital News Platform

ଯାତ୍ରୀବାହୀ ବସରେ ଚାଲାଣ ହେଉଥିଲା ଚୋରା ବ୍ୟାଟେରୀ ଏବଂ ତାର,ଚୋରା ସାମଗ୍ରୀ ଖୋଜୁ ଖୋଜୁ ପୋଲିସକୁ ବସ ଭିତରୁ ମିଳିଲା ଗଞ୍ଜେଇ

ମୟୂରଭଂଜ/ରାଇରଙ୍ଗପୁର: ସୋମବାର ରାତିରେ ଏକ ଘରୋଇ ଯାତ୍ରୀବାହୀ ବସ୍ ରେ ବେଧଡ଼କ ଭାବେ ଚୋରା ସାମଗ୍ରୀ ଓ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରିବାରେ ବିଶୋଇ ପୋଲିସକୁ ସଫଳତା ମିଳିଛି ।ଚୋରା ସାମଗ୍ରୀ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବସ୍ ମଧ୍ୟରୁ ଗଞ୍ଜେଇ ଜବତ ହୋଇଛି । ବେଇଆନ ଚୋରାସାମଗ୍ରୀ ଓ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଶୋଇ ଥାନାରେ ୨ ଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ଚୋରା ବ୍ୟାଟେରୀ ଓ ଇଲେକ୍ଟ୍ରି ତାର ଚାଲାଣରେ ଯାତ୍ରୀବାହୀ ବସ୍ ର କଣ୍ଡକ୍ଟର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନ ମାନପୁର ଗ୍ରାମର ଅଜିତ କୁମାର ବେହେରା (୪୨) ଗିରଫ ହୋଇଛନ୍ତି ।ସେହିପରି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ବିରଭୂମ ଜିଲ୍ଲା ବଲପୁର ଥାନା ଅଞ୍ଚଳର ଦମ୍ପତ୍ତି ବରୁଣ ବାନାର୍ଜୀ (୫୨) ଓ ଲାଖି ବାନାର୍ଜୀ (୩୪) ଏବଂ ଅନ୍ୟ ଜଣେ ସହଯୋଗୀ ମହିଳା ଉତ୍ତରପ୍ରଦେଶ ଗାଜିପୁର ଜିଲ୍ଳା ଜମାନିଆ ଥାନା ଅଧିନ ଚକାବନ ଗ୍ରାମର ରାମସାକ୍ଷୀ ଦେବୀ (୪୫) ।

ସୂଚନାଥାଉକି, ଗତକାଲି କେନ୍ଦୁଝର ରୁ କଲିକତା ଅଭିମୁଖେ ଯାଉଥିବା ଅଗ୍ରୱାଲ ନାମକ ଏକ ଘରୋଇ ବସ୍ ରେ ବେଇଆନ ଚୋରା ସାମଗ୍ରୀ ଚାଲାଣ ହୋଉଥିବା ନେଇ କୌଣସି ବିଶେଷସୂତ୍ରରୁ ଖବର ପାଇ ବିଶୋଇ ଥାନା ଓଆଇସି ମିନି ଭୋଇଙ୍କ ତତ୍ତ୍ୱାବଧାନରେ ଏସ.ଆଇ ଘନଶ୍ୟାମ ମଲ୍ଲିକ ଓ ଏ.ଏସ.ଆଇ କାହ୍ନୁଚରଣ ମାଝୀ ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ସ୍ଥିତ ରଜାବସା ଠାରେ ଛକି ବସିଥିଲେ । ଗତକାଲି ରାତ୍ରି ପ୍ରାୟ ସାଢ଼େ ୧୧ ଘଟିକା ସମୟରେ ଉକ୍ତ ସ୍ଥାନରେ ବସ୍ ପହଞ୍ଚିବା ପରେ ବିଶୋଇ ପୋଲିସ ଉଜ୍‌ତ ବସ୍ ଉପରେ ଅକସ୍ମାତ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବସ୍ ମଧ୍ୟରୁ କିଛି ଚୋରା ବ୍ୟାଟେରୀ, ଇଲେକ୍ଟ୍ରି ତାର ଜବତ ଚାଲିଥିବା ସମୟରେ ବସ୍ ମଧ୍ୟରୁ ୪ ଅଖା ଭରା ବିଶିଷ୍ଟ ଗଞ୍ଜେଇ ମିଳିଥିଲା ।ଏହି ସମସ୍ତ ଜିନିଷ ଜବତ ହେବା ପରେ ବିଶୋଇ ପୋଲିସ ସମ୍ପୃକ୍ତ ବସ୍ କଣ୍ଡକ୍ଟର ଅଜିତ ଓ କଲିକତାକୁ ଗଞ୍ଜେଇ ନେଉଥିବା ଦମ୍ପତ୍ତି ଓ ମହିଳାକୁ ଗିରଫ କରି ଥାନାକୁ ଆଣିଥିଲା ।

ଜବତ ହୋଇଥିବା ବି.ଏସ.ଏନ.ଏଲ(୧୯) ,ଏୟାରଟେଲ(୨), ଆମରନ(୪) ଓ ଲୁମିନସ୍‌(୨) କମ୍ପାନୀର ସମୁଦାୟ ୨୭ ଗୋଟି ବ୍ୟାଟେରୀ ଓ ଆଲୁମିନୁୟମ ତାର,କପର ତାର ଓ ପିଭିସି କେବୁଲ ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଉକ୍ତ ସମସ୍ତ ସାମଗ୍ରୀ କେନ୍ଦୁଝରରୁ ବସ୍ ଯୋଗେ କଲିକତା କୁ ଯାଉଥିବାର ସୂଚନା ମିଳିଥିଲା । ସେହିପରି ଜବତ ହୋଇଥିବା ଗଞ୍ଜେଇର ଓଜନ ୪୮ କେଜି ବୋଲି ଜଣାପଡିଛି । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଦମ୍ପତ୍ତି ଓ ଅନ୍ୟ ଜଣେ ମହିଳା ଚଢ଼େଇଭୋଳ ଗ୍ରାମ ନିକଟରୁ ଗଞ୍ଜେଇ ନେଇ ବସ୍ ଯୋଗେ କଲିକତା ଯାଉଥିବା ନେଇ ଅତିରିକ୍ତ ଏସ.ପି ଶ୍ରୀଯୁକ୍ତ ମହାରଣା ସମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ । ଚୋରା ବ୍ୟାଟେରୀ ଓ ତାର ଘଟଣାରେ ବିଶୋଇ ଥାନାରେ କେସ ନଂ ୨୧୩/୨୩ ଓ ଗଞ୍ଜେଇ ଚାଲାଣରେ କେସ ନଂ ୨୧୪/୨୩ ରେ ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହିତ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *