Pratidin TV

Odisha's Digital News Platform

ଆରପାରିରେ ମା ; ରୋଗିଣା ବାପାର ଆଶାବାଢି ପାଲଟିଛି କୁନି ପୁଅ ସ୍ୱାଗତ…

ବରଗଡ ; ଆଜିର ସ୍ଵାର୍ଥପର ଦୁନିଆରେ ନିଜ ଜନ୍ମ କଳା ବୃଦ୍ଧ ମାଁ ବାପାଙ୍କୁ ବୋଝ ମନେକରୁଛନ୍ତି ନିଜ ସନ୍ତାନ ଏବଂ ଜୀବନର ଶେଷ ମୂହୁର୍ତ୍ତରେ ମଧ୍ୟ ଏକୁଟିଆ ହୋଇ ଦିନ କାଟୁଛନ୍ତି ବୃଦ୍ଧ ମାଁ ବାପା । ହେଲେ ବରଗଡ ବ୍ଲକ ନାଗେନପାଳି ଗ୍ରାମର ୧୨ ବର୍ଷର କୁନି ପୁଅ ଆଜିର ଯୁବପିଢିଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି । ନିଜ ଶଯ୍ୟାଶାୟୀ ରୋଗିଣା ବାପାଙ୍କ ସେବା ପାଇଁ ନିଜ ପାଠପଢା ଛାଡିଦେଇ ଦିନରାତି ବାପାଙ୍କ ଯତ୍ନ ନେଉଛି କୁନି ପୁଅ ସ୍ୱାଗତ । ଏପରିକି ଘରେ ଖାଇବାକୁ ମଧ୍ୟ କିଛି ନଥିବା ବେଳେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା କୁନି ପୁଅ ଲୋକଙ୍କ ଠାରେ ହାତପାତି ନିଜ ବାପାଙ୍କ ପାଇଁ ଔଷଧ ଓ ଖାଦ୍ୟ ଯୋଗାଡ କରୁଛି। ଦୀର୍ଘ ଚାରି ମାସ ହେଲା ପ୍ରତିଦିନ କୁନି ପିଲାଟି ଏପରି ସଙ୍ଘର୍ଷମୟ ଜୀବନଯାପନ କରିଆସୁଛି ।

ନାଗେନପାଳି ଗ୍ରାମର ବିକାଶ ତାଙ୍କ ସ୍ତ୍ରୀ ଓ ଏକ ମାତ୍ର ପୁଅ ସହିତ ବେଶ ଖୁଶିରେ ଥିଲେ ପୁରା ପରିବାର । ହେଲେ ହଠାତ୍ ପରିବାର ଉପରେ ମାଡି ଆସିଥିଲା ଘୋର ଅନ୍ଧକାର । ୨୦୧୫ ମସିହାରେ ବିକାଶଙ୍କ ସ୍ତ୍ରୀ କେନ୍ସର ରୋଗରେ ଆକ୍ରାନ୍ତ ହୋଇଥିଲେ । ଘରେ ଯାହା କିଛି ଥିଲା ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସବୁ ବିକି ଭାଙ୍ଗି ଦେଇଥିଲେ ବିକାଶ , କିନ୍ତୁ ନିଜ ସ୍ତ୍ରୀ ଙ୍କୁ ବଞ୍ଚାଇ ପାରିନଥିଲେ । ପ୍ରଥମେ ମା ପ୍ରେମରୁ ବଞ୍ଚିତ ହୋଇ ବଢି ଆସିଛନ୍ତି କୁନି ପୁଅ ସ୍ୱାଗତ ଆଉ ଏବେ ବାପା ବିକାଶ ମଧୁମେହ ରୋଗ କାରଣରୁ ଦୁଇ ଗୋଡରେ ଘାଆ ହୋଇ ତାଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି । ଯେଉଁ ବୟସରେ ବାପାଙ୍କ ପାଖରୁ ମା ବାପା ଦୁହିଁଙ୍କ ସ୍ନେହ ପାଇବା କଥା ସେହି ବୟସରେ କୁନି ପୁଅଟିଏ କରିଚାଲିଛି ରୋଗିଣା ବାପାଙ୍କର ନିରନ୍ତର ସେବା । ବାପାଙ୍କା ହାଇସୁଗାର ଯୋଗୁ ଦୁଇ ଗୋଡର ପାଦ ସଢି ଯାଇଥିବାବେଳେ ବିକାଶ ନିଜ ଖଟରୁ ଓହ୍ଲାଇ ପାରୁନାହାନ୍ତି । ଡାକ୍ତର ଉଭୟ ଗୋଡ଼କୁ କାଟିବାକୁ ପଡିବ ବୋଲି ପରାମର୍ଶ ଦେଇଥିବା ବେଳେ ଏପରି ପରିସ୍ଥିତିରେ ବିକାଶ ଙ୍କର ୧୨ ବର୍ଷିଆ ପୁଅ ସ୍ଵାଗତ ଛଡା ତାଙ୍କ ସାହା ଭରସା କେହି ନାହାନ୍ତି ।

ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ ଯେ ଏହି ଅସହାୟ ପରିବାର କୁ ସରକାରୀ ସହାୟତା ପ୍ରଦାନ ସହିତ ସ୍ଵତନ୍ତ୍ର ଚିକିତ୍ସା ପ୍ରଦାନ କଲେ ପିଲାଟି ଅନାଥ ହେବାରୁ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *