Pratidin TV

Odisha's Digital News Platform

ବାଚସ୍ପତି ପଦ ପାଇଁ ମତଦାନ ଅନୁଷ୍ଠିତ

ମୁମ୍ବାଇ: ମହାରାଷ୍ଟ୍ରରେ  ଆଜି  ବିଧାନସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏଥିରେ ଶିବସେନାର ଦୁଇ ଗୋଷ୍ଠୀ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି । ଦୀର୍ଘ ୧୧ ଦିନ ପରେ ବିଦ୍ରୋହୀ ବିଧାୟକମାନେ ଗତକାଲି  ରାତିରେ ମୁମ୍ବାଇ ଫେରିଛନ୍ତି ।

ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜନ ସାଲଭିଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରିଥିବା ବେଳେ ବିଜେପି ପକ୍ଷରୁ ଯୁବ ନେତା ତଥା ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବା ରାହୁଲ ନରଭେକର ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ନିର୍ବାଚନରେ ​​ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ୱାରା ଦଳୀୟ ବିଧାୟକଙ୍କ ପାଇଁ ଏକ ହ୍ବିପ ମଧ୍ୟ ଜାରି କରାଯାଇଛି । କିନ୍ତୁ ଏହା ତାଙ୍କ ଗୋଷ୍ଠୀର ବିଧାୟକଙ୍କ ପାଇଁ ବୈଧ ନୁହେଁ ବୋଲିି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ।ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ଡକା ଯାଇଥିବା ଦୁଇ ଦିନିଆ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆଜି ଠାରୁ ଅନୁଷ୍ଠିତ ହେବାକୁ ଯାଉଛି ।

ଏଥିରେ ଗୁରୁତ୍ବପୂର୍ଣ୍ଣ ବାଚସ୍ପତି ନିର୍ବାଚନ ସାଙ୍ଗକୁ ନୂଆ ଶପଥ ନେଇଥିବା ସିନ୍ଧେ ସରକାରକୁ ବହୁମତ ପ୍ରମାଣ ମଧ୍ୟ ଦେବାକୁ ପଡିବ । ଶିବସେନା ପକ୍ଷରୁ ଏକ ହ୍ବିପ ମଧ୍ୟ ଜାରି କରିଛନ୍ତି ଦଳର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ । ହ୍ବିପରେ କୁହାଯାଇଛି, ଶିବସେନା ପକ୍ଷରୁ ରାଜନ ସାଲଭିଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ସମସ୍ତ ଦଳୀୟ ବିଧାୟକ ଅଧିବେଶନରେ ଉପସ୍ଥିତ ରହିବା ସହ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ । ସିନ୍ଧେ ଗୋଷ୍ଠୀ କିନ୍ତୁ ଏହି ଦଳୀୟ ହ୍ବିପକୁ ଅସ୍ବୀକାର କରିଛି । ବିଧାନସଭା ଅଧିବେଶନ ରବିବାର ଏବଂ ସୋମବାର ଅନୁଷ୍ଠିତ ହେବ । ଆଜି ବାଚସ୍ପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *