ମହିଳାଙ୍କୁ ଧକ୍କା ଦେବା ପରେ ପଛକୁ ଗଡ଼ିଲା ଟ୍ରେନ
1 min readଲୋକାଲ୍ ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ତ୍ବରିତ ପଦକ୍ଷେପ ଯୋଗୁ ରେଳଧାରଣାରେ ହଠାତ୍ ଖସିପଡ଼ିଥିବା ଜଣେ ମହିଳାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଛି। ତେବେ ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଗୋଟିଏ ଟ୍ରେନ୍ ଧକ୍କା ଦେବା ପରେ ପଛକୁ ଗଡ଼ିଛି। ଧକ୍କା ଯୋଗୁ ମହିଳା ଜଣଙ୍କ ନିଜର ଗୋଡ଼ ହରାଇଛନ୍ତି। କିନ୍ତୁ ଟ୍ରେନ ଡ୍ରାଇଭର ଗାଡ଼ିକୁ ପଛକୁ ଗଡ଼ାଇବାରୁ ମହିଳା ଜଣଙ୍କ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଏପରି ଘଟଣା ନଭି ମୁମ୍ବାଇରେ ଦେଖିବାକୁ ମିଳିଛି |
ସୂଚନା ଅନୁସାରେ, ସକାଳ ୧୦ଟାରେ ବେଲାପୁର ଷ୍ଟେସନ୍ର ପ୍ଲାଟ୍ଫର୍ମ ନମ୍ବର ୩ରେ ଏହି ଘଟଣା ଘଟିଥିଲା। ପାନଭେଲ୍ -ଥାନେ ଟ୍ରେନ୍ ଆସିବା ବେଳେ ପ୍ଲାଟ୍ଫର୍ମରୁ ଜଣେ ୫୦ ବର୍ଷୀୟ ମହିଳା ହଠାତ୍ ରେଳଧାରଣା ମଧ୍ୟକୁ ଖସି ପଡ଼ିଥିଲେ। ଟ୍ରେନ୍ଟିର ଇଞ୍ଜିନ ମଧ୍ୟ ମହିଳାଙ୍କ ଉପରେ ଚାଲିଯାଇଥିଲା। ଏହି ସମୟରେ ଚାଳକ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପଛକୁ ଟ୍ରେନ୍ ଗଡ଼ାଇଥିଲେ।
ପ୍ରାୟ ୧୦-୧୫ ମିନିଟ୍ର ପ୍ରଚେଷ୍ଟା ପରେ ରେଳବାଇ ପୁଲିସ ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଟ୍ରେନ ଚକ ତାଙ୍କ ଗୋଡ଼ ଉପରେ ଚଢ଼ିଯାଇଛି। ତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | କିନ୍ତୁ ମହିଳା ଜଣଙ୍କ ନିଜର ଗୋଡ଼ ହରାଇଛନ୍ତି।
ଲୋକମାନେ ଏହି ଘଟଣାଟିର ମୋବାଇଲରେ ଭିଡ଼ିଓ କରିଥିଲେ | ଟ୍ରେନଟି ପଛକୁ ଗଡ଼ିବା ପରେ ରେଳ ଧାରଣ ମଝିରେ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖିବା ମିଳୁଛି। ଏହି ଘଟଣାର ଭିଡିିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧିକୁ ଲୋକମାନେ ବେଶ୍ ପ୍ରଶଂସା କରିଛନ୍ତି।