Pratidin TV

Odisha's Digital News Platform

ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ସଂଶୋଧନ, ଆଦିବାସୀ ଉପଦେଷ୍ଟା କମିଟି କରିବ ଅଧିକ ତର୍ଜମା..

1 min read

ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ । ଜମି ବିକ୍ରି ଅଧିନିୟମରେ ସଂଶୋଧନ ହେବ । ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି । ଏ ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ସେହିପରି ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ବିବୃତ୍ତ ରଖିଛନ୍ତି । ଆଜି କ୍ୟାବିନେଟ୍ ରେ ୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା ।

ସୂଚନା ଅନୁସାରେ ଆଦିବାସୀ ଜମି ବିକ୍ରି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବାର ୪୮ ଘଣ୍ଟା ପରେ ରୋକ୍ ଲାଗିଥିଲା । ଆଦିବାସୀ ଜମିଜମା ବିକ୍ରି ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା । ମାତ୍ର ଏହି ବିବାଦୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବା ଦିନ ଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା ।

ବିରୋଧୀଙ୍କ ବାରମ୍ୱାର ଆକ୍ରମଣ ପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ୍ ମିଡିଆରେ ପୋଷ୍ଟ କରି କ୍ୟାବିନେଟର ଏହି ନିଷ୍ପତିକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଥିଲେ । ଗତ ୧୪ ତାରିଖରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ୧୫ ତାରିଖରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ମନ୍ତ୍ରୀ । କିନ୍ତୁ ୧୬ ତାରିଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟ୍ୱିଟ୍ କରି ଏହି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ପ୍ରତ୍ୟାହୃତ କରିବାକୁ କହି ବିଧାନସଭାରେ ବିରୋଧ କରିଥିଲେ ବିରୋଧୀ ।

Leave a Reply

Your email address will not be published. Required fields are marked *