Pratidin TV

Odisha's Digital News Platform

ଅପେକ୍ଷାର ହେଲା ଅନ୍ତ ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା..

1 min read

ଓଡିଆଙ୍କର ବାରମାସରେ ପାଳିତ ହୁଏ ତେର ପର୍ବରେ । ଆଉ ସେମିତି ଏକ ପରମ୍ପରା ହେଉଛି ବାଲିଯାତ୍ରା । ଓଡ଼ିଆର ପ୍ରମୁଖ ପର୍ବ ବାଲିଯାତ୍ରା ଡଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ବେଶ ଜଣାଶୁଣା । ସବୁ ଅପେକ୍ଷାର ଅନ୍ତ ଘଟାଇ ଉତ୍ସାହର ସହ ହେଲା ଆଗମନ । ସୋମବାରଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ମହାମେଳା । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆରେ ୮ ଦିନ ଧରି ଜମିବ ମେଳା । ଆଜି ସଂଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ମୂକସାକ୍ଷୀ ଅଟେ । ବାଲିଯାତ୍ରା ଏମିତି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ହେଉଛି ଏସବୁର ପରିବର୍ତ୍ତିତ ରୂପ । ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମ ଥର ପାଇଁ ହେଉଥିବା ଫିସ୍ ଆକ୍ୱାରିୟମ ଟନେଲ ।

ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି । ଏଥିସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍‌, ଲେଜର ଶୋ’ ଆଦି କରାଯାଇଛି ।ବଲିଉଡ୍ ସିଙ୍ଗର ଅନୁ ମଲ୍ଲିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ । ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସିସିଟିଭି ଲଗାଯିବା ସହ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ନଜର ରଖିଛି ପୋଲିସ । କଟକଠାରେ ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି ଓ ବାଣିଜ୍ୟ ପସରା ମେଲେଇ ଥାଆନ୍ତି । ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ୍ ବସାଯାଇ ହସ୍ତଶିଳ୍ପ, କାରୁକାର୍ଯ୍ୟ, ପାରମ୍ପରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ । ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଯେ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ କେବଳ ଏଥିପାଇଁ ହିଁ ଏହି ଉତ୍ସବ ଆୟୋଜିତ ହେଇଛି । ପ୍ରତିବର୍ଷ ଏହି ଦିନକୁ ଅପେକ୍ଷା କରି ବସିଥାନ୍ତି ଓଡିଶାବାସୀ । କେବଳ ଓଡିଶା ନୁହେଁ ଦେଶର କୋଣ ଅନୁକୋଣରୁ ଏହି ଯାତ୍ରାର ମଜା ଉଠାଇବାକୁ ଆସିଥାନ୍ତି ଲୋକେ ।

Advertisement

Leave a Reply

Your email address will not be published. Required fields are marked *