ହାରିଲେଣି ୨୩୮ ଥର ନିର୍ବାଚନ , ତଥାପି ଛାଡିନି ଆସନ ଲୋଭ ..
1 min readମାନିବାକୁ ପଡିବ ଏହି ବ୍ୟାକ୍ତିଙ୍କ ଆତ୍ମବିଶ୍ୱାସ କୁ । ଯଦି ଜଣେ ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ହାରିଯାଏ । ତାହେଲେ ସେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥାଏ । ପୁଣିଥରେ ନିର୍ବାଚନରେ ଲଢିବାକୁ ଶହେଥର ଭାବିବାକୁ ପଡିଥାଏ । ହେଲେ ଏମିତି ଜଣେ ବ୍ୟକ୍ତି ଥରେ ଥରେ ନୁହେଁ କି ଦୁଇ ଥର ଶହ ଶହ ହାରିବା ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଛାଡିନାହାନ୍ତି । ରାଜନୀତିରେ ଆସନ ହାତେଇବା ପାଇଁ ଏବେବି କରୁଛନ୍ତି କସରତ ।
ନିର୍ବାଚନରେ ୨୩୮ ଥର ପରାଜୟ ପରେ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରାର୍ଥୀ ହୋଇଛନ୍ତି ତାମିଲନାଡୁର କେ ପଦ୍ମରାଜନ । ଏଥର ସେ ଧର୍ମପୁରୀ ଜିଲ୍ଲାର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଅନେକ ଥର ନିର୍ବାଚନରେ ହାରିଯିବା କାରଣରୁ ସେ ବିଶ୍ୱର ସର୍ବବୃହତ ନିର୍ବାଚନ ହାରିଥିବା ଆଖ୍ୟା ମଧ୍ୟ ପାଇଛନ୍ତି । କେବଳ ଏତିକି ନୁହେଁ, ଲୋକମାନେ ତାଙ୍କୁ ନିର୍ବାଚନ ରାଜା ବା ଇଲେକ୍ସନ କିଙ୍ଗ ବୋଲି ମଧ୍ୟ କହନ୍ତି । ୬୫ ବର୍ଷୀୟ ପଦ୍ମରାଜ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାମିଲନାଡୁର ମେଟୁର ବାସିନ୍ଦା ପଦ୍ମରାଜନ ଟାୟାର ମରାମତି ଦୋକାନର ମାଲିକ ଅଟନ୍ତି । ସେ ୧୯୮୮ ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ଚଳିତ ବର୍ଷର ଲୋକ ସଭା ନିର୍ବାଚନରେ ଧର୍ମପୁରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିର୍ବାଚନ ରାଜା ଭାବେ ଜଣାଶୁଣା ପଦ୍ମରାଜନ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ।
ପଦ୍ମରାଜନ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେତେବେଳେ ଲୋକମାନେ ତାଙ୍କୁ ଦେଖି ହସୁଥିଲେ, କିନ୍ତୁ ସେ ହୃଦୟଙ୍ଗମ କରିବାକୁ ଚାହୁଁଥିଲେ ଯେ ସାଧାରଣ ଲୋକ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ସେ କୁହନ୍ତି, ସମସ୍ତ ପ୍ରାର୍ଥୀ ନିର୍ବାଚନରେ ଜିତିବାକୁ ଚାହାଁନ୍ତି, କିନ୍ତୁ ମୁଁ ହାରିବାକୁ ପସନ୍ଦ କରେ । ମୁଁ ଜିତିବାକୁ ଚାହେଁ ନାହିଁ । ପଦ୍ମରାଜନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଅବଶ୍ୟ ସେ ପରାସ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂଙ୍କ ବ୍ୟତୀତ ପଦ୍ମରାଜ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢିଛନ୍ତି । ତିନି ଦଶନ୍ଧି ହେବ ନାମାଙ୍କନ ଭରିବା ମଧ୍ୟରେ ପାଖାପାଖି ଏକ ହଜାର ଡଲାର(୮୩,୩୯୫) ଖର୍ଚ୍ଚ କରିଥିବା କହିଛନ୍ତି ପଦ୍ମରାଜନ । ପ୍ରତ୍ୟେକ ନିର୍ବାଚନରେ ସେ ଭିନ୍ନ ଭିନ୍ନ ଚିହ୍ନ ନେଇ ମୈଦାନକୁ ଓହ୍ଲାନ୍ତି । ତାଙ୍କ ଚିହ୍ନ କେତେବେଳେ ମାଛ ଥାଏ ତ ଆଉ କେତେଳେ ରିଙ୍ଗ, ଟୋପି, ଟେଲିଫୋନ୍ ଇତ୍ୟାଦି । ଏଥର ତାଙ୍କ ଚିହ୍ନ ଟାୟାର ରହିଛି ।