Pratidin TV

Odisha's Digital News Platform

ଏଥର ଦଶହରାରେ କାଚରେ ଚମକିବ ମାଁ ଜଗତ ଜନନୀ ଦୁର୍ଗା ..

1 min read

କଟକ : ଆଉ ମାତ୍ର କେଇଟା ଦିନ ରହିଲା ଓଡ଼ିଶାର ଦଶହରାକୁ । ଏଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଶେଷ କରି ଚାନ୍ଦିମେଢ଼ ପାଇଁ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା ରୌପ୍ୟ ନଗରୀ କଟକରେ ପ୍ରଥମ ଥର ପାଇଁ ତିଆରି ହେଉଛି କାଚର ମେଢ଼ । ରାଉସା ପାଟଣା ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଉଛି ଏହି ନିଆରା କାଚର ମେଢ଼ । ସବୁଠାରୁ ବଡ କଥା ହେଲା ସାହିର ଲୋକେ ମିଶିକି ଏହାକୁ ନିର୍ମାଣ କରୁଛନ୍ତି ।

ଧରାପୃଷ୍ଠକୁ ଓହ୍ଲାଇବେ ଜଗତ ଜନନୀ ଦୁର୍ଗତି ନାଶୀନି ମା ଦୁର୍ଗା । ବିଶେଷ କରି କଟକ ସହରରେ ଏହାକୁ ଧୁମ୍ ଧାମରେ ପାଳନ କରାଯାଏ । ଚାନ୍ଦିମେଢ଼ ବା ରୂପାରେ ତିଆରି ମେଢ଼ ସବୁବେଳେ କଟକ ଦଶହରା ର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଚଳିତ ବର୍ଷ ରାଉସା ପାଟଣା ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଉଛି ଓଡ଼ିଶା ର ପ୍ରଥମ କାଚର ମେଢ଼ । ୧୮୯୭ ମସିହାରୁ ଆରମ୍ଭ ହୋଇଥିଲା ରାଉଶା ପାଟଣାରେ ଦୁର୍ଗାପୂଜା । ଚଳିତ ବର୍ଷକୁ ଏହି ପୂଜା କମିଟି ପାଳନ କରିବାକୁ ଯାଉଛି ୧୨୭ ବର୍ଷ । ସଂପୂର୍ଣ୍ଣ ବଙ୍ଗୀୟ ରୀତିନୀତି ରେ ସାହି ତରଫରୁ ଦୁର୍ଗା ପୂଜା ପାଳନ କରାଯାଇଥାଏ । ସବୁ ବର୍ଷ ସାଧାରଣ ମେଢ଼ ତିଆରି ହେଉଥିବା ବେଳେ ଚଳିତ ବର୍ଷ କାଚ ମେଢ଼ ତିଆରି କରିବାକୁ ମନ ବଳାଇ ଥିଲା ପୂଜା କମିଟି। ଏହି ମେଢ଼ କୁ ତିଆରି କରିବା ପ୍ରକ୍ରିୟା ଆଜିକୁ ପାଖାପାଖି ଚାରିମାସ ହେବ ଆରମ୍ଭ ହୋଯାଇଛି । ତାରକସୀ କାମ ଭଳି ଅତି ସୂକ୍ଷ୍ମ କାରୁ କାର୍ଯ୍ୟ ହେଉଛି ଏଥିରେ । କାଚକୁ ଅତି ଛୋଟ ଛୋଟ ସାଇଜ ରେ କାଟିବା ସହ ଏହାକୁ ମେଢ଼ ର ଢାଞ୍ଚା ରେ ଲଗା ଯାଉଛି। ମେଢ଼ର ଢାଞ୍ଚାରେ ଥର୍ମକୋଲ କୁ ଲଗାଯିବା ସହ ଏହା ଉପରେ କାଚ କୁ ଅଠା ରେ ଲଗାଯିବ । ଏଥିରେ ମୋଟ ୩୦୦ କେଜି ର କାଚ ବ୍ୟବହାର କରାଯାଉଥିବା ବେଳେ 1.5 mm ର, 2mm ଓ 5mmର କାଚ ଗୁଡ଼ିକୁ ବ୍ୟବହାର କରାଯାଉଥିବା କଥା କହିଛନ୍ତି ମୁଖ୍ୟ କାରିଗର । ସେହିପରି ମେଢ଼ ଟି ୧୪ ଫୁଟ ଓସାର ହୋଇଥିବା ବେଳେ ଏହାର ଉଚ୍ଚତା ରହିଛି ୧୦ ଫୁଟ୍ । ପ୍ରତ୍ୟକ ଗଳି କନ୍ଧିରେ ବୁଲିବା ଭଳି ଏହାର ଢାଞ୍ଚାରେ ତିଆରି କରାଯାଇଛି ବୋଲି କହିଛନ୍ତି କାଚମେଢ଼ କାରିଗର ।

Advertisement

କଟକ ସହରରେ ବର୍ତ୍ତମାନ ଚାନ୍ଦୀ ମେଢ଼ର ଚାହିଦା ବୃଦ୍ଧି ପାଉଥିବା ବେଳେ ଚଳିତ ବର୍ଷ କିଛି ନୂଆ ଭାବେ କାଚ ତିଆରି ମେଢ଼ ତିଆରି କରିବାକୁ ସାହିର ସଦସ୍ୟ ମାନେ ନିଷ୍ପତ୍ତି ନେଇଥିଲେ । ସବୁଠାରୁ ବଡ କଥା ହେଲା କି ଏହି କାଚ ର ମେଢ଼ ନିର୍ମାଣ ପାଇଁ କୌଣସି ନିର୍ଦ୍ଧିଷ୍ଟ କାରିଗର ଦଳକୁ ନିୟୋଜିତ କରାଯାଇ ନଥିବା ବେଳେ କେବଳ ସାହିର ସବୁ ସଦସ୍ୟ ମାନେ ନିଜେ ନିଜର ଶ୍ରମ ଦାନ କରି ଏହାକୁ ନିର୍ମାଣ କରିବାରେ ଲାଗିଛନ୍ତି । ନିଜ କାମ ରୁ ଫୁରସତ ପାଇବା ପରେ ସନ୍ଧ୍ୟା ସମୟରେ ଅଧିକ ସାହିର ଯୁବକ ମାନେ ଏହି ନିର୍ମାଣ କାର୍ଯ୍ୟରେ ନିଜର ଶ୍ରମ ଦାନ କରୁଛନ୍ତି । ଦୁର୍ଗାପୂଜା ପୂର୍ବରୁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ସାହି ମୂରବୀ । ସେହିପରି ଏହି ମେଢ଼ ନିର୍ମାଣ ପାଇଁ ପାଖାପାଖି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କଥା କହିଛନ୍ତି ସାହି ସଭାପତି ।

ଦଶହରା ଆସିଲେ ଉଠିବ ପଡିବ ରୌପ୍ୟ ନଗରୀ କଟକ ସହର । ତେଣୁ ଚଳିତ ବର୍ଷ କଟକ ଦଶହରା ବୁଲିବାକୁ ଯେଉଁମାନେ ଆସିବେ ସେମାନଙ୍କୁ ରାଉଶା ପାଟଣାର କାଚମେଢ଼ ନିହାତି ଭାବେ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *