ଶେଷ ହେଲା ରଥଟଣା, ଜନ୍ମବେଦୀରେ ବିଜେ କଲେ ମହାପ୍ରଭୁ ..
1 min readମହାପ୍ରଭୁଙ୍କର ଘୋଷଯାତ୍ରା। ଅଣସର ପିଣ୍ଡିରୁ ବଡ଼ଦାଣ୍ଡଙ୍କୁ ଓହ୍ଲାଇ ଆସିଛନ୍ତି ମହାବାହୁ। ହରିବୋଲ, ହୁଳହୁଳି ସାଙ୍ଗକୁ ମଣିମା ମଣିମା ଡାକରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ବିଜେ କାହାଳୀ, ଘଣ୍ଟ, ଘଣ୍ଟା ଆଉ ହରିବୋଲ ଶବ୍ଦରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ସାତ ପାହାଚ ଦେଇ ବଡଦାଣ୍ଡକୁ ଆସିଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ। ଭକ୍ତ ଓ ଭଗବାନଙ୍କର ହୋଇଛି ଅପୂର୍ବ ମିଳନ। ରଥଯାତ୍ରାର ଆଜି ଦ୍ବିତୀୟ ଦିନ। ଜନ ସମୁଦ୍ର ବଡଦାଣ୍ଡ। ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ଅଧାରେ ଅଟକିଥିବା ତିନିରଥ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଛି ।
ଆଗରେ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଥିଲା ପରେ ନନ୍ଦିଘୋଷ ରଥ ପହଞ୍ଚିଥିଲା । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି ଶରଧାବାଲି ।
ରଥ ଯାତ୍ରା ପାଇଁ ଆଜି ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଥିଲା ବଡଦାଣ୍ଡରେ । ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ ଦେଖିବାକୁ ମିଳିଛି । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ଆଣିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।
ଟାହିଆ ହଲେଇ ହଲେଇ ବାଟ କଢେଇ କଢେଇ ଧାଡି ପହଣ୍ଡିରେ ରଥ ଉପରକୁ ବିଜେ କରିଥିଲେ ଚତୁର୍ଦ୍ଧାବିଗ୍ରହ। ଯାହାର ଦୃଶ୍ୟ ଥିଲା ଅନନ୍ୟ। ପରେ ତିନିରଥ ଗୋଟିଏ ପରେ ଗୋଟିଏ ଘରଘର ନାଦରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଥିଲା। ପ୍ରଥମେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ,ପରେ ମା ସୁଭଦ୍ରାଙ୍କ ଦେବୀଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା। ଭକ୍ତ ଓ ରଥାରୂଢ ଭଗବାନଙ୍କ ମହାମିଳନ ହୋଇଛି ।