Pratidin TV

Odisha's Digital News Platform

ଗଜପତିରେ ବାଘ ଆତଙ୍କ, ଗୁହାଳରୁ ଟାଣି ନେଇ ଗାଈକୁ ମାରିଲା ବାଘ

1 min read

ଗଜପତି: ଗାଁରେ ବୁଲୁଛନ୍ତି ବାଘ ।ଭୟଭୀତ ଗାଁ ଲୋକ । ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ଦେଖାଦେଇଛି ବାଘ ଆତଙ୍କ । ଆଜି ଭୋର ସମୟରେ ନରସିଂହ ନାୟକଙ୍କ ଗୁହାଳରୁ ଗାଈକୁ ଟାଣିନେଇ ଜଙ୍ଗଲରେ ମାରି ପକାଇଦେଇଛି ବାଘ । ସକାଳୁ ଉଠି ଗୁହାଳରେ ଗାଈକୁ ପାଇ ନଥିଲେ ନରସିଂହ । ତେବେ ଖୋଜା ଖୋଜି କରିବା ବେଳେ ଜଙ୍ଗଲ ପାଖରେ ଗାଈଟି ମରି ପଡିଥିବା ଦେଖିବାକୁ ପାଇଥିଲେ । କିଏ ମାରିଥିବା ନେଇ ସନ୍ଦେହ କରୁଥିବା ବେଳେ ମୃତଦେହ ପାଖରେ ବାଘର ପାଦ ଚିହ୍ନ ଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନବିଭାଗକୁ ଖବର ଦେଇଥିଲେ । ତେବେ ନାରାୟଣପୁର ବନବିଭାଗ ପହଞ୍ଚି ବାଘର ପାଦ ଚିହ୍ନକୁ ଅନୁସନ୍ଧାନ କରି ବାଘକୁ ଟ୍ରାକିଙ୍ଗ କରିବା ଆରମ୍ଭ କରିବା ସହ ଡ୍ରୋନ ସାହାର୍ଯ୍ୟରେ ବାଘକୁ ଖୋଜା ଆରମ୍ଭ କରିଛନ୍ତି । ସେପଟେ ନାରାୟଣପୁର ରେଞ୍ଜର, ଏସିଏଫ ପାରଳାଖେମୁଣ୍ଡି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ବନବିଭାଗ ପକ୍ଷରୁ ଗାଈ ଗୋରୁ, ଛେଳି ମେଣ୍ଢା ଗୃହପାଳିତ ପଶୁ ପ୍ରଭୁତିକୁ ଜଙ୍ଗଲ ଓ ବାହାରେ ନ ଛାଡି ନିଜ ଗୁହାଳ ଘରେ ରଖିବାକୁ କୁହାଯାଇଛି । ଏଥିସହ ଗ୍ରାମବାସୀଙ୍କୁ ସନ୍ଧ୍ୟାରେ ବାହାରକୁ ନ ବାହାରିବା ସହ ଆଖପାଖ ଗ୍ରାମରେ ବାଘର ଉପସ୍ଥିତି ବିଷୟରେ ସଚେତନତା କରାଯିବା ଶହ ସତର୍କ କରିବା କହିଛନ୍ତି । ଏପରିକି ବନ ବିଭାଗ ଟ୍ରାପ କ୍ୟାମେରା ଗୁଡିକ ସନ୍ତୋଷପୁର ଗ୍ରାମ ସମେତ ଆଖପାଖ ଜଙ୍ଗଲ ଓ ଗ୍ରାମରେ ଲଗାଯିବ ବୋଲି କହିଛି । ତେବେ ଦୀର୍ଘ ବର୍ଷ ପରେ ନାରାୟଣପୁର ରେଞ୍ଜ ଅଞ୍ଚଳରେ ବାଘର ପାଦ ଚିହ୍ନକୁ ନେଇ ଏହା କଲରାପତ୍ରିଆ ବାଘ ହେଇଥାଇ ପାରେ ବୋଲି ବନବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି । ତେବେ ବାଘର ପାଦ ଚିହ୍ନର ପ୍ଲାଷ୍ଟର ଅଫ ପ୍ୟାରିସରେ ଛାଞ୍ଚ ନିଆଯାଇ ଭୁବନେଶ୍ୱର ପଠାଯିବ ବୋଲି ଏସିଏଫଓ ଅଶୋକ କୁମାର ବେହେରା କହିଛନ୍ତି । ଏପଟେ କ୍ଷୀପ୍ର ଗତିରେ ଏହି ବାଘ ଆତଙ୍କ ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତା ବରଣ ଖେଳି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *