Pratidin TV

Odisha's Digital News Platform

ଆଜି ପ୍ଯାରିସ୍ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ, ଝଲସିବ ସେନ୍ ନଦୀ ଉପକୂଳ, ୧୦୦ ନୌକାରେ ୧୦,୦୦୦ ଖେଳାଳି ପରେଡ୍ କରିବେ

ଆଜି ବିଶ୍ୱ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍। ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାର୍।

ବହୁପ୍ରତୀକ୍ଷିତ ପ୍ୟାରିସ୍ ଅଲିମ୍ପିକ୍ସ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍ ବାହାରେ ଏବଂ ନଈ ମଝିରେ ଅନୁଷ୍ଠିତ ହେବ। ଏଥିଲାଗି ପ୍ୟାରିସ୍‌ର ସେନ୍ ନଦୀ ଭିତରେ ଓ କୂଳରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଶୁକ୍ରବାରଠାରୁ ଆରମ୍ଭ ହେଉଛି ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି। ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିବେ। ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେବ।

ନଈର ଦୁଇ ପଟେ ଦର୍ଶକ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଖେଳାଳିଙ୍କୁ ସ୍ବାଗତ କରିବେ। ଏହି ଭାସମାନ ପରେଡ୍ ଅଲଷ୍ଟର୍‌ଲିଜ୍ ପୋଲଠାରୁ ଆରମ୍ଭ ହୋଇ ଟ୍ରୋକାଡେରୋଠାରେ ‌‌ଶେଷ ହେବ। ଟ୍ରୋକାଡେରୋଠାରେ ହିଁ ଅଲିମ୍ପିକ୍ସର ପୁରୁଣା ରୀତିନୀତି ସହ ମନ୍ତ୍ରମୁଗ୍ଧକାରୀ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ଯାହା ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ।

Leave a Reply

Your email address will not be published. Required fields are marked *