Pratidin TV

Odisha's Digital News Platform

ଆଜି ପଞ୍ଚ ଭୂତରେ ବିଲୀନ ହେବେ ଗୀତା ମେହେଟ୍ଟା , ଦିନେ ଫେରାଇଦେଇଥିଲେ ପଦ୍ମଶ୍ରୀ ସମ୍ମାନ ..

ଭୁବନେଶ୍ୱର : ଆଜି ପଞ୍ଚଭୂତରେ ବିଲୀନ ହେବେ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟା । ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରେ ବର୍ତ୍ତମାନ ଗୀତା ମେହେଟାଙ୍କ ପାର୍ଥିବ ଶରୀର ରଖାଯାଇଛି। ବଡ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିଜନ ମଧ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ। ସାହିତ୍ୟ, ସାମ୍ବାଦିକତା, ଡକ୍ୟୁମେଣ୍ଟାରୀ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଗୀତା ଛାଡ଼ିଯାଇଥିବା ଛାପକୁ ସମସ୍ତେ ମନେ ପକାଉଛନ୍ତି। ୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱାର୍କ ପାଇଁ ୧୪ଟି ଡକ୍ୟୁମେଂଟାରୀ ଫିଲ୍ମ ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ ୨୧ଟି ଭାଷାରେ ଟ୍ରାନ୍ସଲେଟ୍ ହୋଇଛି ଓ ୟୁରୋପ, ଆମେରିକା ଓ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ଭାବେ ପରିଗଣିତ ହୋଇଥିଲା ।

ସୂଚନା ଅନୁଯାୟୀ ଗୀତା ମେହେଟ୍ଟା ଗତ ୨ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ଏହାପରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ୨୦୧୯ ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ । ଗୀତାଙ୍କୁ ଗତ ୪ ବର୍ଷ ସମ୍ମାନିତ କରାଯାଇଥିବା ପଦ୍ମଶ୍ରୀ ପୁରଷ୍କାର ଫେରାଇ ସେ ଅନେକ ଚର୍ଚ୍ଚାକୁ ଆସିଥିଲେ । ତେବେ ରାଜନୈତିକ ଦୃଷ୍ଟିକୋଣରୁ ସେ ଷ୍ରଷ୍କାର ଫେରାଇ ଦେଇଥିଲେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *